Unknown

 

 

 

 

 

 

 

 

 

 

 

ଲୋହିତ

ଶ୍ରୀ ଯୁଧିଷ୍ଠିର ମିଶ୍ର

 

ସୂଚୀପତ୍ର

 

୧.

ପ୍ରଥମ ଅଧ୍ୟାୟ

 

 

ନୀଳ ଓ ଲୋହିତର ବାଲ୍ୟକାଳ ଓ ବର୍ଗୀମାନଙ୍କ ଅପହରଣ

୨.

ଦ୍ୱିତୀୟ ଅଧ୍ୟାୟ

 

 

ମାତା ଗଉରୀର ପୁତ୍ରଶୋକ

୩.

ତୃତୀୟ ଅଧ୍ୟାୟ

 

 

ନୀଳ ଓ ଲୋହିତଙ୍କୁ ନେଇ ବର୍ଗୀର ନାଗପୁର ଗମନ

୪.

ଚତୁର୍ଥ ଅଧ୍ୟାୟ

 

 

ମରହଟ୍ଟା ସେନାପତି ବଳବନ୍ତ ରାଓଙ୍କ ନୀଳ ଓ ଲୋହିତଙ୍କୁ ପୋଷ୍ୟ ପୁତ୍ର ଗ୍ରହଣ । ନୀଳ ଓ ପୋଷ୍ୟ-ମାତା ରାଧିକାର ଧନସମ୍ପତ୍ତି ନେଇ କଥୋପକଥନ ଏବଂ ନୀଳର ମୃତ୍ୟୁ

୫.

ପଞ୍ଚମ ଅଧ୍ୟାୟ

 

 

ବଳବନ୍ତ ରାଓଙ୍କ ମୃତ୍ୟୁ, ରାଧା ଓ ଦୂତୀଙ୍କ ସତୀ ଗମନ, ଲୋହିତର ୪ ମହଣ ସ୍ୱର୍ଣ୍ଣ ମୁଦ୍ରା ନେଇ ସମ୍ବଲପୁରକୁ ପଳାୟନ ଏବଂ ଜନନୀ ଗଉରୀଙ୍କ ସଙ୍ଗେ ଭେଟ । ଲୋହିତର ବିବାହ, ଭୂପ ସିଂହଙ୍କ ପାଖରେ ସେନାପତି ପଦ ଗ୍ରହଣ, ଜାଗିର ଗ୍ରହଣ ଏବଂ ପୁତ୍ର ଓ କଳତ୍ରଙ୍କୁ ଉପଦେଶ ପ୍ରଦାନ । ଲୋହିତର ମୃତ୍ୟୁ

Image

 

ପ୍ରଥମ ଅଧ୍ୟାୟ

(ରାଗ–କଳହଂସ କେଦାର)

 

ଇବ ତଟିନୀ ତୀରେ ରମ୍ୟ ବସତି,

‘‘ଯାମନପଲ୍ଲୀ’’ ଘେନି ଶୋଭା ସମ୍ପତ୍ତି ।

ରାଜଇ ଆମ୍ବ୍ରକୁଞ୍ଜେ ତମାଳ ବନେ,

ବଟ ପିପ୍‌ପଳ ଦ୍ରୁମଛାୟା ସଘନେ ।

‘ବଉଦ୍ଧ’ ଗୁହା ଘେନି ‘ଗୁଜା’ ପାହାଡ଼

ଦେଖାଇ କହେ ନିଜ ମହତ ବଡ଼ ।

ସିଦ୍ଧ ବାବାଙ୍କ ସ୍ଥିତି ରହିଛି ତହିଁ,

ମହିମା କେବା ତାର ପାରିବ କହି ।

ପଲ୍ଲୀ-ଶୋଭା-ସମ୍ପଦ ଅନାଇ ହସେ,

ବୌଦ୍ଧ-ଯୁଗ କୀରତି ଅଛି ଯା’ ପାଶେ ।

ଇକ୍ଷୁ ବାଟିକା ଶୋଭେ ପୂର୍ବ ଦିଗର,

ଯୋଜନାବ୍ୟାପୀ କ୍ଷେତ୍ର ସୁମନୋହର ।

କଳ-କଳ-ନାଦିନୀ ଇବ ତଟିନୀ,

ଯଶପୁର-ସୁନ୍ଦରଗଡ଼-ବାହିନୀ ।

ବାମଣ୍ଡା ରାଇଜରୁ ଜଳ ପ୍ରବାହ,

‘ଭେଡ଼େନ’ ନଦୀ ମିଶେ ହୋଇ ଉତ୍ସାହ ।

ମଉଳା ଭଣଞ୍ଜାର ପାଦଦେଶରୁ,

ସ୍ୱଚ୍ଛ ଝରଣା ବହେ ଗିରିକନ୍ଦରୁ ।

ଏତେ ସ୍ଥାନରୁ ଇବ ଆଣଇ ଜଳ,

ଧଉତ କରେ ପଲ୍ଲୀ-ପଦ-କମଳ ।

ଯାମନପଲ୍ଲୀ ଗ୍ରାମେ ବିଧବା ଏକ,

‘ଗଉରୀ’ ବୋଲି ତାକୁ ଡାକନ୍ତି ଲୋକ ।

ନୀଳ, ଲୋହିତ ତାର ବେନି ତନୟ,

ନଅ ବରଷ ବଡ଼, ସାନର ଛଅ ।

ସମ୍ବଳହୀନ ସେହି ପିତୃବିହୀନ,

ଦିନକୁ ଥରେ ମାତ୍ର ମିଳେ ଭୋଜନ ।

କୁଟେ ଗଉରୀ ଧାନ ଫିଙ୍ଗେ ଗୋବର,

ଘାସ ବାଛଇ କ୍ଷେତେ ପଡ଼ୋଶୀଙ୍କର ।

କୁମରେ ରହିଥାନ୍ତି ମାତାଙ୍କୁ ଚାହିଁ,

ଅର୍ଦ୍ଧ-ନଗନେ ଦିନ କାଟନ୍ତି ଦୁଇ ।

ଖ୍ରୀଷ୍ଟାବ୍ଦ ସପ୍ତଦଶ ସପ୍ତପଞ୍ଚାଶ,

ସମ୍ବଲପୁର ଗଡ଼େ ଜଇତ ଈଶ ।

କରି ପ୍ରଜାପାଳନ ଆନନ୍ଦ ମନେ,

ଦେବ ଅତିଥି ବିପ୍ର ଗୁରୁ ପୂଜନେ ।

ଚିମନାଜୀ ଭୋନ୍‌ସଲା ସମ୍ବଲପୁର–

ରାଜବାଟି ଘେରିଲେ ହୋଇ ତତ୍ପର ।

ସମ୍ବଲପୁରବାସୀ କାତର ସ୍ୱରେ,

ଡାକନ୍ତି ଦେବାଦେବୀ ଚଉଦିଗରେ ।

ଡାକନ୍ତି ସମଲାଈ ସମଲେଶ୍ୱରି !

ଗୁମଦରବାସିନୀ ମହାଈଶ୍ୱରି !

ମହାନଦୀରେ ଆସି ବରଗୀଦଳ,

କମ୍ପାଉଛନ୍ତି ଦେଶ ପଡ଼େ ଚହଳ ।

ଜଇତ ସିଂହ ଏଣେ ପଡ଼ିଲେ ଧରା,

‘ଚାନ୍ଦା’ କାରାକୁ ନୀତ ହୋଇଲେ ତ୍ୱରା ।

ଭୂପ ସିଂହଙ୍କୁ ତେଣେ ସିଂହାସନରେ,

ବସାଇଲେ ଚଉଥ ନେବା ଆଶାରେ ।

ବରଗୀଦଳ ପ୍ରତି ଗ୍ରାମରେ ପଶି,

ନିଅନ୍ତି ଧନରତ୍ନ ଦଣ୍ଡି ନିର୍ଦ୍ଦୋଷୀ ।

କରନ୍ତି ହୁରି ଜୁରି ବିଚାରହୀନେ,

ଦିନେ ଥାଆନ୍ତି ରହି ଘୋର ଅରଣ୍ୟେ ।

କେବେ ପାହାଡ଼େ କେବେ ଗୁମ୍ଫା ଗହ୍ୱରେ,

କେବେ ତୋଟାରେ କେବେ ତଟିନୀତୀରେ ।

ଗ୍ରାମ ବାହାରେ ଦଳେ ସନ୍ଧ୍ୟାରେ ଥାଇ,

ଅଗ୍ନି ଜାଳନ୍ତି ଡିବି ଡିବି ବଜାଇ ।

ନିରୀହ ଗ୍ରାମବାସୀ ପାଇଣ ତ୍ରାସ,

ପିଲାକୁଟୁମ୍ବ ସହ ଛାଡ଼ନ୍ତି ବାସ ।

ସ୍ୱର୍ଣ୍ଣ ରଜତ ରୌପ୍ୟ ପାଟବସନ,

ତେଜନ୍ତି ଗ୍ରାମବାସୀ ହୋଇ ଉଚ୍ଛନ୍ନ ।

ସୈନିକଦଳ ତାହା ନିଅନ୍ତି ବୋହି,

ଆପଣା ଦଳବଳ ଛନ୍ତି ବଢ଼ାଇ ।

ବାଳ ବାଳିକା ଦେଖି ପାଆନ୍ତି ତ୍ରାସ,

ଦେଖିଲେ ନେଇଯାନ୍ତି ଯେଣୁ ସ୍ୱଦେଶ ।

ଦାସଦାସୀ ଭାବରେ ରଖନ୍ତି ଘରେ,

କେବା ରଖନ୍ତି ପୁତ୍ରକନ୍ୟା ଭାବରେ ।

ଯାମପାଲିକୁ ଦିନେ ବରଗୀଦଳ,

ପହଞ୍ଚିଲେ ପଡ଼ିଛି ମହା ଚହଳ ।

ବାନ୍ଧିଲେ ଡେରା ଆମ୍ବତୋଟା ମଝିରେ,

ଯା’ ଦେଖି ଲୋକ-ହୃଦ ଭୟରେ ଥରେ ।

ଏଣେ ଗଉରୀ ଧାନ କୁଟିବା ପାଇଁ,

ଗଉନ୍ତିଆ ଘରକୁ ଯାଇଛି ଧାଇଁ ।

ଆଖୁବାଡ଼ିରେ ରଖି କୁମର ଦୁଇ,

କହିଛି ମଉନରେ ବସିବାପାଇଁ ।

ବାଣ୍ଟି ଦେଇଛି ମୁଢ଼ି ଚଣା ଦୁଇଙ୍କି,

କହିଛି କେ କାହାର ନ ନେବ ଝିଙ୍କି ।

ବାରଟାରେ ଫେରିବ ଯାଇଛି କହି,

ଫେରିବା ଯାଏ ଥିବ ନ ଯିବ କାହିଁ ।

ତୃଷା ମେଣ୍ଟାଇବାକୁ ପାଣି ଲୋଟାଏ,

ରଖି କହି ଯାଇଛି ପିଇବ ପୋଏ !।

ସତର୍କ କରାଇଛି ହେଲେ ବାହାର,

ହାବୋଡ଼େ ପଡ଼ିଯିବ ବର୍ଗୀଦଳର ।

ନିଜ ଭାଗ ଆଗରେ ଖାଇଣ ନୀଳ,

ଝିଙ୍କିଲା ଲୋହିତର ଭାଗ ସକଳ ।

କଲା ଉଚ୍ଚେ କ୍ରନ୍ଦନ ବାଳ ଲୋହିତ,

ଡାକିଲା ମାଁ, ମାଁ, ଆସ ତୁରିତ ।

ଲୁଟିଲା ମୋର ଭାଗ ନୀଳମାଧବ,

ଦେଉଛି ମୋତେ କିପାଁ ଏ ପରାଭବ ।

କ୍ରନ୍ଦନ ଶୁଣି ବର୍ଗୀ ଆସିଲେ ଧାଇଁ,

ଆଖୁବାଡ଼ି ଭିତରେ ପଶିଲେ ଯାଇ ।

ଦେଖିଲେ ବେନି ପୁତ୍ର କେଡ଼େ ସୁନ୍ଦର,

ଚନ୍ଦ୍ରବଦନ ପକ୍ୱ ବିମ୍ବ-ଅଧର ।

ବସ୍ତ୍ର ଅଭାବେ ସାନ ଅଛି ନଗନ,

ବଡ଼ ଘୋଡ଼ାଇ ଅଛି ଛିନ୍ନ ବସନ ।

ଶୁଖିଅଛି ଶରୀର ଖାଦ୍ୟ ବିହୀନେ,

ବାଣୀ ଅସ୍ଫୁଟ ଭୀତ ତ୍ରସ୍ତ ନୟନେ ।

ଏଣେ ତେଣେ ପଳାନ୍ତି ଦେଖି ବରଗୀ,

ଡାକନ୍ତି ରଖ ମାଆ ! ଆସ ଗୋ ବେଗି ।

ବରଗୀ ଟାଣୁଅଛି ଧରିଣ ହାତ,

ମିଷ୍ଟାନ୍ନ ଦେଇ କହେ ଖାଅ ବାଳୁତ ।

ଲୋହିତ ପଳାଉଛି ପୂରୁବ ଦିଗେ,

ନୀଳ ପଳାଇ ଲୁଚେ ଉତ୍ତର ଭାଗେ ।

ସୈନିକ ଆଗେ କିବା ବାଳକ ଗତି,

ଧାଇଁ ଦୁଇ ବରଗୀ ଧଇଲେ ଧାତି ।

ନୀଳ ମାଇଲା କଷି ଏକ ଚାପୋଡ଼ା,

ବର୍ଗୀ ଧଇଲା ଆଣ୍ଟେ ହୋଇଲା ଛିଡ଼ା ।

ଝାଡ଼ି ଛଡ଼ାଇ ହାତ ଧାଇଁଲା ନୀଳ,

ମାତା ଆଡ଼କୁ ହୋଇ ଧାଏଁ ଚଞ୍ଚଳ ।

ଗୋଡ଼ାଇଲା ସୈନିକ ବାଳକ ପଛ,

ଧରି ପୃଷ୍ଠ ବସନ ଟେକିଲା ଉଚ୍ଚ ।

ଥକି ହୋଇଲା ନୀଳ ବର୍ଗୀ ଅଧୀନ,

ଲୋହିତ ତେଣେ କରଗତ ମଉନ ।

ଅସହାୟ କୁମରେ ହୋଇଲେ ଯହୁଁ,

ମିଷ୍ଟାନ୍ନ ଖାଇ ମିଷ୍ଟ ବଚନେ ତହୁଁ ।

ଗଲେ ବରଗୀ ସଙ୍ଗେ ହୋଇ ଅଥୟ,

ଫେରି ଚାହାନ୍ତି ଗ୍ରାମ ତରୁ ନିଚୟ ।

ଘାଟ ବାଟ ମନରେ ନିତି ପଡ଼ଇ,

ମାତାଙ୍କ ରୂପ ନେତ୍ରପଟେ ଝଳଇ ।

ମାଆ ମାଆ ଡାକନ୍ତି ଶୋଇ ରାତିରେ,

କେବେ ଡାକନ୍ତି କାନ୍ଦି କାତର ସ୍ୱରେ ।

ମାଆଙ୍କ ହାତୁ ଇଚ୍ଛା କରନ୍ତି ଅନ୍ନ,

ମାତା ବିନା ଦେଖନ୍ତି ସକଳ ଶୂନ୍ୟ ।

ଚିନ୍ତି ସତତ ମାଆ ମୁଖ-କମଳ,

ମିଷ୍ଟ ବଚନ ପଦ ହସ୍ତ ଯୁଗଳ ।

ମନ ଜାଣି କେ ଦେବ ଜଳ, ଆହାର,

ରେ ବାପଧନ, ଡାକ ହେଲା ପାଶୋର ।

ଆଉଁଷୁ ନାହିଁ ଏବେ ମାଆର ହାତ,

ହସ ହସ ବଦନ କୋମଳ ନେତ୍ର ।

ନ ଶୁଣନ୍ତି ଶ୍ରବଣେ ମାତାଙ୍କ ବାଣୀ,

ହୃଦ୍ ଗଦ୍‌ଗଦ ସୌମ୍ୟ ଶିଶୁ କାହାଣୀ ।

ବିଚ୍ଛେଦ କଲା ବିହି ମାତା ତନୟ,

ପୂରୁବେ କରିଥିଲେ କି ପାପଚୟ ।

ବରଗୀ ଅଶ୍ୱପୃଷ୍ଠେ ଶିଶୁ କୁମରେ,

ନେଇ ହେଲେ ପ୍ରବେଶ ନାଗପୁରରେ ।

Image

 

ଦ୍ୱିତୀୟ ଅଧ୍ୟାୟ

(ରାଗ – କାମୋଦୀ)

 

ଗଉରୀ ଆସଇ ଫେରି ବାରଟାରେ ବେଗ କରି

ଧକ ଧକ ହେଉଅଛି ଛାତି,

ଡାକଇ ନୀଳ, ଲୋହିତ ! ଆସ ଆସରେ ତୁରିତ

ହେଲା ଉଛୁର ଆସ ଝଟତି, ରେ ବାପଧନ !

କାହିଁକି ନ ଶୁଣ ଡାକ ମୋର

ଆସ ଆସ ହେଉଛି ଉଚ୍ଛୁର ।୧।

ଡାକି ତଣ୍ଟି ଶୁଖାଇଲା ନ ଶୁଣିଲେ ଯହୁଁ ବଳା

କିଆରୀ ଭିତରେ ଗଲା ପଶି,

ସନ୍ଦେହ ହୋଇଗଲା ଜାତ କେଣେ ଗଲେ ମୋ ବାଳୁତ

ବରଗୀ ବା ନେଲେ ଦୁଇ ଶିଶି, ଗୋ ମାଆ ମୋର ।

କି ହେଲା କରମ ଗଲା ଫାଟି,

ଭୂମିତଳେ ପଡ଼ି ଗଲା ଲୋଟି ।୨।

ଧାଇଁଲା ବାଡ଼ି ଭିତର କାନ୍ଦଇ ନୀଳ ! ମୋର,

ଲୋହିତରେ ! ଛାଡ଼ିଗଲ କାହିଁ ?

ଦିଗ ଦିଶଇ ଅନ୍ଧାର, ପୋଡ଼ା କପାଳଟି ମୋର

ନ ଯାଇ ଜୀବ ଅଛି କିପାଇଁ, ରେ ଦୁଃଖୀବଳା !

କେଣେ ଲୁଚିଅଛ ଆସ ବେଗ,

ମୋର ପ୍ରତି ନାହିଁ କି ସରାଗ ? ।୩।

ବନ୍ଧୁ ଇଷ୍ଟ ମିତ୍ର ଜନ ଶୁଣି ଗଉରୀ କ୍ରନ୍ଦନ

ପଚାରିଲେ ସକଳ ବାରତା,

ଖୋଜିଲେ ଚଉଦିଗର ଗ୍ରାମ ଭିତର ବାହାର

ଘାରିଲା ସକଳ ମନେ ଚିନ୍ତା, ସେ ଗ୍ରାମବାସୀ ।

ଅଶ୍ରୁଜଳେ ଗଲେ ସର୍ବେ ଭାସି

ଗ୍ରାମେ ଗ୍ରାମେ ବାର୍ତ୍ତା ହେଲା ଘୋଷି ।୪।

ଗଉରୀ ହେଲା ବାଉରୀ ଗ୍ରାମେ ପକାଇଲା ହୁରି,

କହେ ଦେଖିଛ କେ ମୋର ପୁଅ ?

କିପାଇଁ ନ ଶୁଣ କଥା ହେଉଛି କି କାନ ବ୍ୟଥା

ତେଣୁ ସିନା ମୋତେ ନ ଅନାଅ, ଗୋ ମାଆ ଭାଇ !

ଛାତି ହୋଇଗଲା କି ପଥର ?

ମୋ କାନ୍ଦଣା ନ ପଶେ କାନର ।୫।

କୁଟୀରକୁ ତା ଅନାଇ ବାହୁନି ବାହୁନି କହି

ଦେଖିଛୁ କି କେଣେ ଗଲେ ପୋଏ ?

ପୁଅ ଖେଳନା ଅନାଇ କହଇ ବାତୁଳୀ ହୋଇ

କାହିଁପାଇଁ ଅଛ ଠାଏ ଠାଏ, ରେ କୁଜା କୁଜି !

 

ସବୁବେଳେ ଆଖି ଅଛ ବୁଜି,

ପୁଅ ବିନେ ହେଉନାହିଁ ଭାଜି ? ।୬।

ବଟବୃକ୍ଷେ କହେ କଥା, ତୁ ଅଟୁ ବ୍ରହ୍ମା-ଦେବତା

ଡାଳି-ମାଙ୍କୁଡ଼ି ଖେଳିବା ପାଇଁ,

ଆସିଥିଲେ ପୋଏ ମୋର କହ ସତ ମୋ ଆଗର

ଦେବତା କି ମଉନ ରହଇ, ତୁ ପୂଜା ଖାଉ ।

ତେତେବେଳେ ଚେଇଁ ରହିଥାଉ,

କହିଲେ ଏବେ ନ ଶୁଣୁ ଆଉ ।୭।

ଆମ୍ବତଳେ ଥାଏ ବସି ଉପରେ ଅନାଇ ହସି

ମୋ ପୁଅକୁ ଫଳ ଚଖାଇଲୁ,

କିପାଇଁ ଏବେ ନ ଖୋଜୁ, ଛେଉଣ୍ଡ ବୋଲି ନ ହେଜୁ

ଧିକ ଧିକ ତୋ ପଣ ଦୟାଳୁ, ରେ ସତ୍ୟ ଆମ୍ବ ।

ଦୁଃଖୀରଙ୍କି ପ୍ରତି ଦୟା ନାହିଁ,

ଧିକ ବଡ଼ଲୋକଙ୍କ ବଡ଼ାଇ ।୮।

ଧାନ କୁଟି କୁଟି ମଲି ପୁଅ ଆଶା କରିଥିଲି

ବଡ଼ ହେଲେ ରହିବି ସୁଖରେ,

ଯତନେ ମଧୁ ସଂଗ୍ରହ କରି ବଢ଼ାଇଲି ମୋହ

ମଧୁହାରୀ ଅନଳ ମୁଖରେ, ସେ ଲଗାଇଲା ।

 

ମଧୁ ଘେନି ଘରେ ଗଲା ଚାଲି,

ମୁହିଁ ଆଜି ମରଇଁ ସେ ଭଳି ।୯।

ଭୁଜଙ୍ଗ ହେଲା ବସନ ବିଷ ହୋଇଲା ଅଶନ

ଘାରି ଘାରି ମଲା ମନ-ମୀନ;

ଆଶା ଭରସା ଯା’ ଥିଲା ଦଇବ ଛଡ଼ାଇ ନେଲା

ଘାରି ହେଉଅଛି ରାତ୍ର ଦିନ, ରେ କ୍ରୂର ଧାତା ।

ଶୁଣିବାକୁ ନାହିଁ କା’ ଶ୍ରବଣ;

ମୋ କାନ୍ଦଣା ଅରଣ୍ୟ-ରୋଦନ ।୧୦।

କୁମ୍ଭକାର ଉଆ ସମ ଦଗଧ ହୁଏ ମରମ

ହୃଦୟ ବେଦନା କେ ନ ଜାଣେ,

ସମ ଦୁଃଖୀଠାରେ ଦୁଃଖ-ପସରା ଫେଇଲେ ସୁଖ

ମିଳେ ଦୁଃଖ ଆଦାନେ ପ୍ରଦାନେ, କେ ସମଦୁଃଖୀ ।

ନାହିଁ ଜଗତରେ ମୋ ସମାନ,

ଅଭାଗିନୀ, ମୋ କରମ ହୀନ ।୧୧।

ରାଜା ଥାଇ ରାଜା ନାହିଁ, ମନ୍ତ୍ରୀ ଥାଇ ମନ୍ତ୍ରୀ ନାହିଁ

ରକ୍ଷକ ହୁଏ ଯେ ଭକ୍ଷକର,

ଥିଲା ନ ଥିଲାର ସରି ଅଜାଗଳ ସ୍ତନପରି

ମରୀଚିକା ଦେଖି କୃଷ୍ଣସାର, ସେ ଯାଏ ଧାଇଁ ।

 

ଜଳ ବିନେ ଛଟପଟ ହୋଇ,

ବିକଳରେ ଜୀବନ ତେଜଇ ।୧୨।

ବିଚାରହିଁ ଅବିଚାର, ଅବିଚାରହିଁ ବିଚାର

ଅଧରମହିଁ ଧରମ ହେଲା,

ସତ୍ୟହିଁ ହେଲା ଅସତ୍ୟ, ଅସତ୍ୟହିଁ ହେଲା ସତ୍ୟ

ଅପୁତ୍ରିକ ପୁତ୍ରବନ୍ତ ହେଲା, ଏ କଳିଯୁଗେ ।

ନ୍ୟାୟ ଧର୍ମ ଯାଏ କି ଉଭେଇ

ପୁତ୍ରବତୀ ହୋଇ ପୁତ୍ର ନାହିଁ ।୧୩।

ଲୋହିତ ସୁତ ମୋହର ଡରଇ ସଦା ରାତିର

ଭୟରେ ଭିଡ଼ଇ ଆଣ୍ଟ କରି,

ପଣନ୍ତ କାନି ଟାଣଇ ନୋହିଲେ କାଖରେ ଥାଇ

ଛନ୍ଦିହୁଏ ଦୁଇ ଗୋଡ଼ ଧରି, ରେ ବାପଧନ !

କେଣେ ଗଲୁ ମାଆକୁ ନ କହି,

କାହା ପୁରେ ଥିବୁ ଏକା ହୋଇ ।୧୪।

ସକାଳୁ ତୋରାଣି ପାଣି କିଏ ଦେବ ମନ ଜାଣି

କେଉଁଠି ପାଇବ ନାନା ଫଳ,

ଆମ୍ବ ଜାମ୍ବୁ ବା ଖଜୁର, ତାଳ ବା ମହୁଲ ଚାର

ପଣସ ଅବା ବଟ ପିପ୍‌ପଳ, ରେ ଗଳାମାଳି !

 

ଅଳି କରିବ କାହା ଛାମୁର,

କେ ଶୁଣିବ ହୋଇ ତତପର ।୧୫।

ନୀଳମାଧବ ! ମୋହର ଅଟୁ ଚାଲାକ ଚତୁର,

ଦଉଡ଼ି ପଳାଇ ନ ପାରିଲୁ,

କିଏ କେମନ୍ତେ ଧଇଲା କେଉଁ ପରକାରେ ନେଲା

ମାଡ଼ ଖାଇ ଆକୁଳେ କାନ୍ଦିଲୁ, କି ଗଳାମାଳି !

ଚିନ୍ତା କରି ଫାଟିଯାଏ ହିଆ,

ଜୀବ ନ ଯାଇ ରହିଛି କିଆଁ ।୧୬।

ଆଉ କି ମୁଖ ଦେଖିବି ତେଲ ହରିଦ୍ରା ବୋଳିବି

ମାଆ ଡାକ ନ ଶୁଣିବ କର୍ଣ୍ଣ,

ଫୁଟିଯାଉ ନେତ୍ରଯୁଗ କର୍ଣ୍ଣେ ଧରୁ କର୍ଣ୍ଣରୋଗ

ଛିଣ୍ଡୁ ଜିହ୍ୱା ନ ସ୍ଫୁରୁ ବଚନ, ରେ ରଙ୍କନିଧି !

ତୁମ ବିନେ କିପାଇଁ ନୟନ,

ଶ୍ରବଣର କିବା ପ୍ରୟୋଜନ ? ।୧୭।

ପୋଡ଼ୁ ପେଟ, ପୋଡ଼ୁ ଭୋକ, ପୋଡ଼ୁ ନିତ୍ୟକର୍ମଯାକ

ପୋଡ଼ୁ ନିଦ, ପୋଡ଼ୁ ଘରଦ୍ୱାର,

ପୋଡ଼ୁ ହସ କଉତୁକ, ନେତ୍ରରୁ ସଦା ଲୋତକ-

ଧାର ବହୁଥାଇ ଝର ଝର, ରେ ଗଳାମାଳି !

 

ଦିନ ରାତି ସମାନ ମୋହର,

ବୃଥା ହୁଏ ଜୀବନ ସଞ୍ଚାର ।୧୮।

ଯେ ଜୀବନେ ନାହିଁ ଆଶା ନାହିଁ କାହାର ଭରସା

ସେ ନିର୍ଲ୍ଲଜ ସାରହୀନ ପ୍ରାଣ,

ରୂପ ରସ ଗନ୍ଧହୀନ ପୁଷ୍ପେ କିବା ପ୍ରୟୋଜନ

ଥିବା ନ ଥିବା ବେନି ସମାନ, ରେ ଗଣ୍ଠିଧନ !

ତୁମ ବିନେ ମାଆ ହୀନମାନ,

ଯାଆ ପ୍ରାଣ ! ଉଡ଼ି ଯା’ବହନ’’ ।୧୯।

ଏହା କହିଣ ବାତୁଳୀ ପଡ଼ିଲା ଭୂମିରେ ଢଳି

ମୂର୍ଚ୍ଛା ହୋଇ ଶୋଇଲା ମଉନେ,

ବିମଳା ଭଉଣୀ ଆସି ପାଣିରେ ମୁଖ ଆଉଁଷି

ପ୍ରବୋଧିଲା ମଧୁର ବଚନେ, ‘‘ଗୋ ନାନି ମୋର !

ଧିରଜ ମନରେ ଏବେ ଧର,

ଜୀବନରେ ଅଛନ୍ତି କୁମର ।୨୦।

ଦେଖିବ ବେନି ନୟନେ ଆସିବେ ଫେରି ଭବନେ

ରାଇଜରେ ଅଛି ଗୋଳମାଳ,

ଆମ ରାଜା ହୋଇ ଧରା ‘ଚାନ୍ଦା’ରେ ଭୋଗନ୍ତି କାରା

ତାଙ୍କ ପରି ଥିବେ ଆମ ବାଳ, ଗୋ ନାନି ମୋର !

 

ଚଉଥ ଦେବାକୁ ଅସ୍ୱୀକାର,

କଲେ ଆମ ରାଜଦରବାର ।୨୧।

ନଦୀରେ ବାହି ତରଣୀ, ମରହଟ୍ଟା-ଶିରୋମଣି

ଚିମ୍ନନା ଭୋନ୍‌ସଲା ଆସୁଥିଲେ,

ଜଇତ ସିଂହ ରାଜନ ଫୁଟାଇ ତୋପ କମାଣ

ମରହଟ୍ଟା ସୈନ୍ୟେ ବୁଡ଼ାଇଲେ, ଗୋ ନାନି ମୋର !

ଚିମନାଜୀ କୋପେ ଆକ୍ରମଣ,

କରି ବର୍ଗୀ ପେଷିଲେ ବହନ ।୨୨।

ଦେଶ କଲେ ଛାରଖାର ସମ୍ପତ୍ତି ନେଲେ ଅପାର

ବାଳକ ବାଳିକା କେତେ ନେଲେ,

ଅଠର ଗଡ଼ର ମଣି ଧରା ହୋଇଛନ୍ତି ପୁଣି

ଏହା ନ ରହିବ କାଳେ କାଳେ, ଗୋ ନାନି ମୋର !

ପୁଏ ରହିଛନ୍ତି ନାଗପୁରେ,

ହେଲେ ବଡ଼ ଫେରିବେ ସତ୍ୱରେ ।୨୩।

ଆଟୁପାଟୁ ହୋଇ କାନ୍ଦୁ ବୃଥା କରମକୁ ନିନ୍ଦୁ

ଦୁଃଖ ସୁଖ ବିଧାତା ଭିଆଣ,

ଦୁଃଖେ ନ ହୁଅ କାତର, ହୃଦରେ ଧିରଜ ଧର

ଦୁଃଖ ଯାଇ ସୁଖ ଆଗମନ, ଗୋ ନାନି ମୋର !

 

ତୋଠାରୁ ଦୁଃଖିନୀ ଛନ୍ତି ରହି,

କେତେ ଥାଇ ହେଲେଣି ଅଥାଇ ।୨୪।

କାହାର ବା ଗଲା ଧନ, କାହାର ଗଲା ଜୀବନ

କାହାର ପଦବୀ ବଡ଼ପଣ,

କେ ନିଜ ପୁତ୍ର ଦୁହିତା ହରାଇ କରନ୍ତି ଚିନ୍ତା

ଘଡ଼ିସନ୍ଧି ବେଳ ଏହା ଜାଣ, ଗୋ ନାନି ମୋର !

ପୁଏ କରୁ ନାହାନ୍ତି ସମର,

କେହି ନ କାଟିବ ତାଙ୍କ ଶିର ।୨୫।

ଧନ, ଜନ, ଯଉବନ ଜାଣ ବିଜୁଳୀ ସମାନ

ଏଣେ ତିଳେ ବିଶ୍ୱାସ ନ କର,

କ୍ଷଣେ ଚମକାଏ ଧରା କ୍ଷଣକେ ମେଣ୍ଟଇ ପରା

ଲଘୁ ପସରାକୁ ମଣୁ ସାର, ଗୋ ନାନି ମୋର !

ଦେଖ ଏ ସଂସାର ଖେଳଘର,

ପୁଏ ପୁଣି ଅଛନ୍ତି ଆମର’’ ।୨୬।

କ୍ଷୀଣ ସ୍ୱରରେ ଗଉରୀ ବିମଳାର କର ଧରି

କହେ ନିଶି ସପନ ବୃତ୍ତାନ୍ତ,

‘‘ନୀଳ, ଲୋହିତ ମୋହର କମ୍ପୁଛନ୍ତି ଥରହର

ନାରୀ ବେନି ପ୍ରବୋଧି ବହୁତ, ସେ କହୁଥାନ୍ତି ।

 

ତୁମେ ଆମ ଦୁଃଖୀର ସଙ୍ଖାଳି,

ଡାକ ବଡ଼ ସାନ ମାଆ ବୋଲି ।୨୭।

ପୁଏ ମୋର ନ ଶୁଣନ୍ତି ମୋତେ ସଦା ଖୋଜୁଥାନ୍ତି

ସପନେ ଦେଖନ୍ତି ମୋର ରୂପ,

ମୋତେ ନ ଦେଖି ଖୋଜନ୍ତି କିଛି କହି ନ ପାରନ୍ତି

ଅବିରତ କରନ୍ତି ବିଳାପ, ସେ ବେନି ବଳା ।

ଅକାରଣେ ହରାଇଲି ମୁହିଁ

ଅନ୍ଧର ଲଉଡ଼ି ଗଲେ କାହିଁ ।୨୮।

ଆସ ଆସ ବାପଧନ ! ଦେଖାଅ ସୌମ୍ୟ ବଦନ

ମାଆ-ହୃଦ କରାଅ ଶୀତଳ,

ଶୁଖିଲା ରକତ ମାଂସ କଙ୍କାଳ ରହିଛି ଶେଷ

ଜିଇଁବାର ହୋଇଛି ବିଫଳ, ରେ ଗଳାହାର !

ଗଲ କେଣେ ନିରାଶ କରିଣ,

ଝୁରି ଝୁରି ତନୁ ହେଲା କ୍ଷୀଣ ।୨୯।

ଦିଅନ୍ତି ଯା’ ପ୍ରବୋଧନା କାନେ ଲାଗଇ ଅଲଣା

ପୋଡ଼ା ଘା’ରେ ବାଲି-ସେକ ପ୍ରାୟେ,

ତୁମେ ମୋର ଜ୍ଞାନ ଧ୍ୟାନ, ତୁମେ ମୋର ଭଗବାନ

ତୁମ ଗୁଣ ଗାଇ ହେଉଥାଏଁ, ରେ ଦୁଃଖୀଧନ ।

 

ତୁମ ନାମେ ରଖିଛି ଜୀବନ,

ତୁମ ନାମ ହୃଦର ଚନ୍ଦନ ।୩୦।

ତୁମ ଗୁଣ ଗାଇ ଗାଇ ଥିବି ଯେତେ ଦିନ ଜିଇଁ

କରୁଥିବି ତୁମ ରୂପ ଧ୍ୟାନ,

ନ ଶୁଣିବି କାହା କଥା ସଦା କରୁଥିବି ଚିନ୍ତା

ତମେ ମୋର ଜୀବର ଜୀବନ, ରେ ଦୁଃଖୀଧନ ।

ତୁମ ନାମେ ଗାଉଥିବି ଗୀତ,

ଲୟ ରଖି ତୁମଠାରେ ଚିତ୍ତ ।୩୧।

ତୁମ ନାମ କରି ହାର, ଲମ୍ବାଇଥିବି ଗଳାର

ତୁମ ନାମ ବାହୁର ବରତ,

ତୁମ ନାମ ହିଁ ଭୂଷଣ କରିଥିବି ଅନୁକ୍ଷଣ

ତୁମ ନାମ ଜପୁଛି ସତତ, ରେ ଗଳାମାଳି’’ !

ହା ! ହା ! ପୁଅ ବୋଲି ପଡ଼େ ଢଳି,

ବିମଳା ଧଇଲା ପୁଣି ତୋଳି ।୩୨।

ଉହୁଁ ଉହୁଁ କରୁଥାଇ ବସିଲେ ଢଳି ପଡ଼ଇ

କହିଲେ ନ ଶୁଣଇ ବଚନ,

ମାରୁଥାଇ ଦୀର୍ଘଶ୍ୱାସ ଅସ୍ଫୁଟ ଅସ୍ପଷ୍ଟ ଭାଷ

କ୍ଷୀଣ ତନୁ କ୍ଷୀଣ ମନ ପ୍ରାଣ, ସେ ଦୁଃଖିନୀର ।

 

ମରମ ବେଦନା ତାକୁ ଜଣା,

କି କରିବ କବିର କଳ୍ପନା ।୩୩।

ଗଡ଼ୁଥାଇ ପଡ଼ିଥାଇ ବାର ବାର ମାରେ ଝାଇଁ

ଉଦବେଗେ ହୁଏ ଯେବେ ଠିଆ,

ଲଇଁପଡ଼େ ସେହିକ୍ଷଣି ପୁଣି ଲୋଟଇ ଧରଣୀ

ତରଳିଯାଏ ପାଷାଣ ହିଆ, ତା କାନ୍ଦ ଶୁଣି ।

ନଦୀସ୍ରୋତ ବନ୍ଦ ହୁଏ ଜାଣି,

ତରୁ ଲତାରୁ ଝରଇ ପାଣି ।୩୪।

ଧନ୍ୟ ତୁହି ଶୋକ ରସ, ଆନ ରସେ କରୁ ବଶ

ବଇକୁଣ୍ଠ ଧାମ ତୋତେ ଡରେ,

କମ୍ପାଇ ଦେବ ଆସନ କମ୍ପାଉ ତୁ ଭଗବାନ

ଲକ୍ଷ୍ମୀନାରାୟଣ ତୋତେ ଡରେ, ରେ ଶୋକରସ ।

ବାଳ କାନ୍ଦି ଡରାଏ ମାଆକୁ,

ଜଗତ କଷିଛି ତୋ ବଳକୁ ।୩୫।

Image

 

ତୃତୀୟ ଅଧ୍ୟାୟ

(ରାଗ – କଳହଂସ କେଦାର)

 

ବରଗୀ ଘେନିଗଲା ବେନି ବାଳକ,

ମନେ ବିଚାର କଲା ଗୃହ-ସେବକ ।

ଭାବରେ ରହିଥିବେ ମୋ ଘରେ ଯାଇ,

ବଡ଼ ହେଲେ ସୈନିକ ସାଜିବେ ଦୁଇ ।

ଥରେ ବିଚାରେ ପୁଣି ନାହିଁ ମୋ ପୁଅ,

ବେନି ଭାରିଜା ଦେଖି କରିବେ ସ୍ନେହ ।

ତଟନୀ କୂଳେ କୂଳେ ନେଲା ଚଳାଇ,

ଘୋଟକେ ବସାଇଲା ବେନିଙ୍କି ନେଇ ।

ଏକେ ପଉଷ ମାସ ଜାଡ଼ ବହୁତ,

ଘୋଡ଼ାଇଲା କମ୍ବଳେ ବେନି ବାଳୁତ ।

ଉପାନହ ଖଞ୍ଜିଲା ଚାରି ପାଦରେ,

ଶୀତ ବସନ ପିନ୍ଧାଇଲା ଶରୀରେ ।

ବିବିଧ ଫଳମୂଳ ବହୁ ମିଷ୍ଟାନ୍ନ,

ଦେଲା ବାଳକେ କରିବାକୁ ଭୋଜନ ।

ଗ୍ରାମେ ଗ୍ରାମେ ଥାଆନ୍ତି ବରଗୀଦଳ,

ବଢ଼ିଲା ନାଗପୁରଆଡ଼େ ଚଞ୍ଚଳ ।

କେବେ ତୋଟା ଭିତରେ କେବେ ତମ୍ବୁରେ,

କେବେ ଗୁମ୍ଫା ଭିତରେ କେବେ ଗ୍ରାମରେ ।

ଅନେକ ଜନପଦ ଯାଆନ୍ତେ ଡେଇଁ,

ନେଲା ବାଳକ ବେନି ହସି ଖେଳାଇ ।

କେଣେ ମିଳେ ଗୋରସ ଖୁଆ ଖିରିସା,

କେଣେ ମିଳଇ ଲଡ଼ୁ, ଚିରଜି, ଖସା ।

ଯେଣେ ଯାଆନ୍ତି ତେଣେ କରନ୍ତି ଜୁର,

ନିର୍ଦ୍ଦୟ ଚିତ୍ତ ସଦା ମତି ଅଧୀର ।

ମରହଟ୍ଟା ସାମ୍ରାଜ୍ୟ ବିସ୍ତାର ପାଇଁ,

ପଶୁଅଛନ୍ତି ଗ୍ରାମେ ଗ୍ରାମେ ଧସାଇ ।

ଶିଶୁ କୁମରେ ହାବଭାବ ତାଙ୍କର,

ଶିଖୁ ଥାଆନ୍ତି ବଢ଼ୁଥାଏ ବିଚାର ।

କେତେକ ଦିନେ ନାଗପୁରେ ପ୍ରବେଶ,

ଦେଖିଲେ କୋଠାଘର ଅଛି ଅଶେଷ ।

ଅପାର ଗଳି କନ୍ଦି ଅପାର ଜନ,

ବଡ଼ ବଡ଼ ସଉଧ ପ୍ରାସାଦମାନ ।

ଭୋନ୍‌ସଲା ବଂଶ ଛନ୍ତି ସେଠାରେ ରହି,

ତାଙ୍କ ପ୍ରତାପେ ନାଗପୁର କମ୍ପଇ ।

ସହର ଚାରିଆଡ଼େ ଖୋଳା ପ୍ରାନ୍ତରେ,

ସୈନିକ ଦଳ ଦଳ ହୋଇ ତମ୍ବୁରେ ।

ରହି ପାଆନ୍ତି ଶିକ୍ଷା ଗରିଲା ଯୁଦ୍ଧ,

ଦେଖାଇ କରୁଥାନ୍ତି ଜନେ ସ୍ତବଧ ।

ଅଶ୍ୱ-ଚାଳନ, ଭଲ୍ଲ, ବର୍ଚ୍ଛା କ୍ଷେପଣ,

ଖଡ଼ଗ, ଅସି, ଗଦା, ତୀର ସନ୍ଧାନ ।

ଦଳେ ଦଳେ ବିଭକ୍ତ ହୋଇଣ ଯିବା,

ସଙ୍କେତ ମାତ୍ରେ ଏକ ସଙ୍ଗେ ମିଶିବା ।

ଗ୍ରାମରେ ପଶି ଖାଦ୍ୟ ସଂଗ୍ରହ ପାଇଁ,

ଉପାୟ କଉଶଳ ଥାନ୍ତି ଭିଆଇ ।

ବର୍ଗୀଦଳର ନେତା ଶ୍ରୀ ବଳବନ୍ତ-

ରାଓଙ୍କ ନାମ ତେଣେ ଅଛି ବିଖ୍ୟାତ ।

ରାଧା, ଦୂତୀ ନାମରେ ଦୁଇ ଭାରିଜା,

ନାହିଁ ତାଙ୍କ ତନୟ ଅବା ତନୁଜା ।

ବଳବନ୍ତ ହୋଇଲେ ପିତା ତାଙ୍କର,

ରାଧା ହୋଇଲା ମାତା ନୀଳ ପୁତ୍ରର ।

ଲୋହିତ ହେଲା ପୁଅ ପାଳିଲା ଦୂତୀ,

ସେହି ରହିଲା ଭୁଲି କୁଟୁମ୍ବ ଜ୍ଞାତି ।

ଝୁରି ଝୁରି ଶୁଖିଲା ତନୁ ନୀଳର;

ଲୋହିତ ମନୁ ମାତା ହେଲା ପାଶୋର ।

ଅଜ୍ଞାତ କୁଳଶୀଳ ଅଜ୍ଞାତ ଦେଶ,

ଅଜ୍ଞାତ ଜନମୁଖ ଅଜ୍ଞାତ ବେଶ ।

ଖାଦ୍ୟପେୟ ଅଶନ ବେଶଭୂଷଣ,

ଯେଣେ ଚାହାନ୍ତି ତେଣେ ଦେଖନ୍ତି ଭିନ୍ନ ।

ଯେତେହେଁ ହେଉଥାଏ ଦିନ ଅତୀତ,

ତେତେହେଁ ହେଉଥାଏ ଅହିତ ହିତ ।

କାହିଁ ଗୁଜା ପାହାଡ଼ ଇବ ତଟିନୀ,

କାହିଁ ଆମ୍ବ୍ର କାନନ କାହିଁ ଜନନୀ ।

କାହିଁ ସେ ଇକ୍ଷୁ କ୍ଷେତ୍ର କାହିଁ ସେ ସଙ୍ଗ,

କାହିଁ ପଲ୍ଲୀ ବାଳକ ସେ ରଙ୍ଗଢଙ୍ଗ ।

ଚାଲିଚଳନ ରୀତିନୀତି ଅନେକ,

ଦେଖୁଅଛନ୍ତି ଭିନ୍ନ ବେନି ବାଳକ ।

ଗୁରୁପାଖରେ ଦୁହେଁ ପଢ଼ନ୍ତି ରହି,

ଶୁଣନ୍ତି ଭିନ୍ନ ଭାଷା ବୁଝନ୍ତି ନାହିଁ ।

ସମ୍ବଲପୁରୀ ଭାଷା ଏକେ ଗାଉଲି,

ଶୁଣିଣ ଗୁରୁ ମାରୁଥାଆନ୍ତି ତାଳି ।

ନୀଳ କହେ, ‘‘ଲୋହିତ ଯିବା ପଳାଇ,

(ସ୍ୱପ୍ନ) ଡାକିଲା ମା’ ମୋତେ ଶୁଣିଲୁ ନାହିଁ ।

ନଦୀକୁ ଯାଇଥିଲି ମାଆ ସଙ୍ଗରେ,

ଗାଧୋଇଲି ନଦୀର ସ୍ରୋତ-ପ୍ରଖରେ ।

ଆସିଲି ନଦୀକୂଳ ଆମ୍ବ ତୋଟାକୁ,

ପାଚିଲା ଆମ୍ବ ଦେଖି ଧଡ଼କେ ବୁକୁ ।

ଏଡ଼େ ସୁନ୍ଦର ତୋଟା ତାଳ ଖଜୁର,

ପଣସ ପାଚି ଲୋଟୁଥାଇ ଭୂମିର ।

ଦେଖି ମନ ନ ମାନେ ଛାଡ଼ିବା ପାଇଁ,

ଚାଲ ଏଠାରୁ ବେଗେ ଯିବା ପଳାଇ’’ ।

ଲୋହିତ କହେ, ‘‘ଭାଇ ! କହୁ କି କଥା,

ଏଣେ ଅଛନ୍ତି ମୋର ତୋହର ମାତା ।

କେବଣ ମାଆ ମାଆ କଥା କହୁ ରେ ଭାଇ !

ସତ ବା ମିଛ କହୁ ନ ଜାଣେ ମୁହିଁ’’ ।

ନୀଳ କହଇ, ‘‘ପିତା ଶ୍ରୀ ବଳବନ୍ତ

ନୁହନ୍ତି, ଚକ୍ରଧର ଆମର ତାତ ।

ଜାତି ଆମ କୁଳିତା ବର୍ଗ ପଧାନ,

ଗଉରୀ ଦେବୀ ମାତା କର ଧିଆନ ।

ପିତା ଗଲେ ଅରଣ୍ୟେ କାଠର ପାଇଁ,

ଧଇଲା ବ୍ୟାଘ୍ର କେଣେ ଗଲା ପଳାଇ ।

ଚିତ୍କାର କଲେ କେତେ ଉଦ୍ଧାର ପାଇଁ,

ଶୁଣିଣ ଲୋକେ ଗଲେ ଅରଣ୍ୟେ ଧାଇଁ ।

ନ ପାରିଲେ ଉଦ୍ଧରି ହୋଇଲା ରାତି,

କୁଠାର ଭାର ରଖିଥିଲେ ଯା କତି ।

ଆଣିଲେ ଲୋକେ ମାତା ଜାଣିଣ ତାହା,

କାନ୍ଦିଲେ ଦୁଃଖେ କେତେ ସେ କଥା ଆହା !

କି କହିବି ଅଜ୍ଞାନ ! ଥିଲୁ ତୁ ସାନ,

ଦୁଇ ବରଷ କଥା ଅଛି ମୋ ମନ ।

ସବୁ ଦିନ ସକାଳେ କାନ୍ଦନ୍ତି ମାଆ,

ମନେ ନାହିଁ କି ତୋର ଅଇଁଠାଖିଆ ?

ଚାଲ ଯିବା ପଳାଇ ହୁଅ ତିଆର,

ଏ ନୁହେଁ ଆମ ଦେଶ ଆମରି ଘର’’ ।

ଲୋହିତ କହେ, ‘‘ଭାଇ ! ହେଲେ ମୁଁ ବଡ଼,

ଯିବି ଆମର ଦେଶ ବାନ୍ଧିବି ଗଡ଼ ।

ସଙ୍ଗରେ ଧନରତ୍ନ ନେବାରେ ଭାଇ !

ଗରୀବ ହୋଇ ତେଣେ ଥିବା କିପାଇଁ ?

ମାଆ ଦେଖି ଆମ୍ଭଙ୍କୁ ହୋଇବେ ଖୁସି,

ଜୀଇଁଥିବେ ଆମର ଶୁଭ ମନାସି’’ ।

ନୀଳ କହଇ, ‘‘ତୁ କି ଦେଖିଛୁ ବାଟ,

ପାଇବୁ କେଉଁପରି ମାଆର ଭେଟ ?’’

ଲୋହିତ କହେ, ‘‘ତାହା ହେବ ସହଜ,

ସେ କଥା କିପାଁ ଏଣେ ପଡ଼ିଛି ଆଜ ?’’

ନୀଳ କହଇ, ‘‘ବାଇ ହେଲୁକି ତୁହି,

ବେଳହୁଁ ସବୁ ଜାଣି ଥିବାଟି ରହି ।

ନାଗପୁରରୁ ରାୟପୁରକୁ ରାହା,

ତହୁଁ ବିଳାସପୁର ଯାଇଛି ତାହା ।

ମହାନଦୀର କୂଳେ ପଡ଼ିଛି ବାଟ,

ଏଣେ ତେଣେ ନ ଯାଇ ଲାଗିଛି ତଟ ।

ଛତିଶଗଡ଼ ତହୁଁ ହୋଇବା ପାରି,

ଓଡ଼ିଆ ରାଇଜରେ ପ୍ରବେଶ କରି ।

ଯିବା ସମ୍ବଲପୁର ଦେଶ ଆମ୍ଭର,

ଇବ ମିଳଇ ଯହିଁ ମହାନଦୀର ।

ବାମତଟରେ ତେଣୁ ଯିବାରେ ଭାଇ !

‘ଯାମନପଲ୍ଲୀ’ କିଛି ଦୂରେ ଶୋଭଇ ।

ଦେଖି ଆମ୍ଭଙ୍କୁ ମାତା ହେବେ ଉଷତ,

ଭାବିବେ ଯମାଳୟୁ ଫେରିଲେ ସୁତ’’ ।

ଦୁହେଁ ଏକ ସଙ୍ଗରେ ଖେଳନ୍ତି ରହି,

ଘରକୁ ଯିବାପାଇଁ ନୀଳ କହଇ ।

ମା’ କଥା ଲୋହିତକୁ କହି ସତତ,

ମନେ କରାଏ କହି ଗ୍ରାମ ବୃତ୍ତାନ୍ତ ।

ଦିନକୁ ଦିନ ଭୁଲିଯାଏ ଲୋହିତ,

ପୁଣି ପୁଣି ହରଇ ନୀଳ ତା ଚିତ୍ତ ।

ମାର୍ଜିତ ହେଉଥାଏ ଦେଶର କଥା,

ଗୁଣି ଦୁହିଁଙ୍କ ମନେ ଆସଇ ବ୍ୟଥା ।

ବନ୍ଧୁବାନ୍ଧବ ନାହିଁ ଜ୍ଞାତି କୁଟୁମ୍ବ,

ନାହିଁ ଖୁଡ଼ି ପିଉସୀ ସ୍ନେହ-ବିଭବ ।

ମାମୁଁ ମଉଳା ଇଷ୍ଟ ମିତ୍ର ଅପାର,

ସ୍ୱରଗଧାମ ଯାହା ଲାଗି ସଂସାର ।

ମାତା ବା ପିତାକୁଳ ଶ୍ୱଶୁରକୁଳ,

କେହି ନାହାନ୍ତି ତେଣେ ହୋନ୍ତି ବିକଳ ।

ଝୁରି ଝୁରି ନୀଳର ଶରୀର କ୍ଷୀଣ,

ହେଲା ନ ରୁଚେ ତାକୁ ଅନ୍ନ ବ୍ୟଞ୍ଜନ ।

ଖେଳ ବା କଉତୁକ ତାହାକୁ ବିଷ,

ହେଲା ଶରୀର ଧୀରେ ଧୀରେ ଅବଶ ।

ନ ମିଶେ କାହା ସଙ୍ଗେ ନ କହେ କଥା,

ଚିନ୍ତଇ ମାଆରୂପ ପାଇଲା ବ୍ୟଥା ।

ଅପାର ଧନରତ୍ନ ରାଜାଡ଼ମ୍ବର,

ହୋଇଲା ସମ ବିଷ ମଣିଲା ଛାର ।

ସ୍ୱର୍ଣ୍ଣ ବଳୟ ହେଲା କଏଦୀ ବେଡ଼ି,

ସ୍ୱର୍ଣ୍ଣହାର ହୋଇଲା ଜେଲ କଡ଼ି ।

ଝୀନ ବସନ କଣ୍ଟକିତ ବସନ,

ଉପାନହ ତପତ ଲୌହ ସମାନ ।

ହୟ ଦିଶିଲେ ନେତ୍ରେ ବ୍ୟାଘ୍ର ପରାୟେ,

ଘରହିଁ ବନ୍ଦୀଘର ଶୋଭା ନ ପାଏ ।

ମଧୁର ରସ ତେଣେ ନିମ୍ବର ସରି,

ରସ ବିକୃତ, ଜୀବ ନିର୍ଜୀବ ପରି ।

ବଳବନ୍ତ ପ୍ରହ୍ଲାଦେ ହିରଣ୍ୟ ବୀର,

ପରି ହୋଇଲା ପକ୍ଷେ ନୀଳ କୁମର ।

କୃଷ୍ଣେ ପୁତନା ଅବା ହୋଇଲା ରାଧା,

ନୀଳର ମନେ ଜାତ ହୋଇଲା ଦ୍ୱିଧା ।

ଦିବାରାତି ଦିଶିଲା ବେନି ଅନ୍ଧାର,

ଭୁଲିଲା ଭୋକଶୋଷ ନୀଳ କୁମର ।

ରାଧା କହଇ, ‘‘ଆରେ କବଠେକର !*

କିପାଇଁ କ୍ଷୁଣ୍ଣ ମନ କ୍ଷୀଣ ଶରୀର ?

ଖାଉନାହୁଁ ମିଷ୍ଟାନ୍ନ ନ ଖାଉ ଅନ୍ନ,

ତୋତେ ନ ରୁଚଇ କି କହରେ ଧନ ?

ଯେବେ ଦେଖଇ ମନ ସଦା ମଳିନ,

କି କାରଣେ ଏସନ କହ ବହନ ?’’

ନୀଳ କହଇ, ‘‘ମାତ ! କହୁଛି ସତ,

ମୋ ମାଆ କଥା ମନେ ପଡ଼େ ସତତ ।

ସାଙ୍ଗପଡ଼ିଶା କେତେ ମୋତେ ଅନାଇ,

ଖୋଜୁଥିବେ ଆକୁଳେ ଆମର ପାଇଁ ।

ମାଆ ମୋ କାନ୍ଦୁଥିବ ଲୋହିତ ବୋଲି,

ଅଜ୍ଞାନ ଶିଶୁ ଏବେ ଗଲାଣି ଭୁଲି ।

ମାଆର ବାସି ପେଜ ତୁମ ମିଷ୍ଟାନ୍ନ,

ମାଆର ଛିଣ୍ଡା କନା (ତୁମ) ପାଟ ବସନ ।

ମାଆର କୁଣ୍ଡା ପିଠା, ତୁମର ଗଜା,

ମାଆର ଛିଣ୍ଡା ଖଟ, ତୁମର ଶଯ୍ୟା ।

ମାଆର କାଖ ଏଣେ ଘୋଡ଼ାର ପିଠି,

ତେଣେ ମାଆର କୋଳ ଏଣେ ବଇଠି ।

କାହିଁ ତାହାର ମନ ତୁମର ଧନ,

କାହିଁ ତାହାର ପ୍ରାଣ ତୁମ ପରାଣ ?

ସ୍ୱର୍ଗ ପାତାଳ କେଣେ ହେବ ତୁଳନା,

ସୁନା ସଙ୍ଗେ ତୁଳନା କରୁଛ ଚୂନା’’ ।

ରାଧା ବୋଲଇ, ‘‘ତୁହିଁ ହେଲୁ କି ବାଇ,

ତୋର ମାଆ କି ଏତେ ସୁଖେ ରଖଇ ।

ତୁ କହୁ ମା’ ନିତି କୁଟଇ ଧାନ,

ଯା’ ମିଳେ ତାହା ଖାଇ କଟାଅ ଦିନ ।

ଏଣେ ଅଭାବ ନାହିଁ ସର୍ବ ସୁଲଭ,

ଦେବଦୁର୍ଲ୍ଲଭ ଭୋଗ ସ୍ୱର୍ଗ-ବିଭବ ।

ଏ ସବୁ ଯେବେ ତୋତେ ରୁଚଇ ନାହିଁ,

ମାନବ ସମାଜରେ ଅଛୁ କିମ୍ପାଇ ।

ଧନ-ସମ୍ପତ୍ତି ପାଇଁ କରନ୍ତି ଶ୍ରମ,

ବିଭବ ପାଇଁ ବଢ଼େ ଜଗତେ ପ୍ରେମ ।

ସମ୍ପଦ ପାଇଁ ହୁଏ ଜଗତ-ଜେତା,

ସମ୍ପଦ ପାଇଁ ବଢ଼େ ମାୟା-ମମତା ।

ଧନ ରଖଇ ମାନ ରଖଇ ପଣ,

ଧନରେ ବଶୀଭୂତ ଶ୍ରୀ ଭଗବାନ ।

ଧନ ନ ଥିଲେ କନ୍ୟା ନ ହୁଏ ଦାନ,

ଧନ ନ ଥିଲେ ଲୋକ ଶତ୍ରୁ ସମାନ ।

ଧନୀ ହୁଅଇ ରାଜା ହୁଅଇ ମନ୍ତ୍ରୀ,

ଧନ ରଖିଛି ସାରା ସଂସାର ଯନ୍ତ୍ରୀ ।

ଧନ କେ ନ ଇଚ୍ଛଇ ପଚାର ଯାଇ,

ସାଧୁ ସନ୍ନ୍ୟାସୀ ଧନ ମାଗି ବୁଲଇ ।

ଧନ ଚାହେଁ ଲେଖକ ଚାହେଁ ଗାୟକ,

ଧନରେ ଧର୍ମ ଅର୍ଥ କାମ ବା ମୋକ୍ଷ ।

ମିଳଇ, ଏକା ଧନ ସ୍ୱରଗ-ଲୋକ,

ମର୍ତ୍ତ୍ୟ ପାତାଳ ପୁର ଅବା ଦ୍ୟୁ-ଲୋକ ।

ଜିଣଇ, କରେ ଧନ ବଶୀକରଣ,

ଜାରଣ ମାରଣ ବା ସୃଷ୍ଟି ପାଳନ ।

ପଡ଼ିଗଲେ ଦୁର୍ଭିକ୍ଷ ଧନର ଲୋଡ଼ା,

ଧନୀ ହୋଇ ଚଢ଼ନ୍ତି ହାତୀ ବା ଘୋଡ଼ା ।

ଦରିଦ୍ର ହୋଇ ଧନ ଅଛୁରେ ପାଇ,

ପଶୁରେ ଲେଖା ତୋତେ କରୁଛି ମୁହିଁ ।

ଓଳିଏ ଖାଇ ବଞ୍ଚୁଥିଲ ଦେଶରେ,

ଫାଟି ଯାଉଛି ପେଟ ତୁମ୍ଭ ଏଠାରେ ।

ତଥାପି ମାତା ସଧ କରୁଛୁ ମୂଢ଼ !

ନ ଦେଖଇଁ ତୋଠାରୁ ମୂରୁଖ ବଡ଼.’’।

ନୀଳ କହେ, ‘‘ଜନନୀ ଜନମ-ଭୂମି,

ସ୍ୱରଗଠାରୁ ବଡ଼ ଅଛୁ କି ଜାଣି ।

ଧନ ପାଇ ଯେ ଜନ ଭୁଲେ ଜନନୀ,

ମନୁଷ୍ୟ ସମାଜରେ ତାକୁ ନ ଗଣି ।

ଧନ ପାଇଁ ଯେ ଜନ ଭୁଲଇ ଦେଶ,

ଧିକ ତାହାର ଧନ ଯଶ ପୌରୁଷ ।

ଶଠ, ଲମ୍ପଟ, କୂଟ, କପଟୀ, ଜନ,

ଧନ ଅରଜି ଛାଡ଼େ ମାନ-ସମ୍ମାନ ।

ହରାଏ ଇହପର ବୃଥା ଜନମ,

ବୃଥା ଜୀବନ ତାର ବୃଥା କରମ ।

ଧିକ ସେ ଧନୀପଣ ଦଣ୍ଡଇ ପ୍ରାଣୀ,

ଭୟ ଦେଖାଇ ଧନ ନିଅଇ ଟାଣି ।

ଧିକ ସେ ଧନୀ ମିଛ କହି ଅର୍ଜ୍ଜନ,

କରି ଅନ୍ୟର ପ୍ରାଣେ ଦିଏ କଷଣ ।

ଧିକ ସେ ଧନୀ କରି ଅଳପ କାମ,

ଅନ୍ୟ ବିପଦବେଳେ ହୋଇ ନିର୍ମମ ।

ସର୍ବସ୍ୱାନ୍ତ କରଇ ହରିଣ ବିତ୍ତ,

ଜନ-ସମାଜେ ରହେ ହୋଇ ମଣ୍ଡିତ ।

ଧିକ ସେ ଧନୀ, ସେବା କରିବା ଛଳେ,

ଅର୍ଜ୍ଜଇ ଧନ କଳେବଳେ କୌଶଳେ ।

ଦେଶସେବା ନ କରି ଆତ୍ମସେବାରେ,

ଲୁଚାଇ ରଖେ ଧନ ନିଜ ଭଣ୍ଡାରେ ।

ଧିକ ସେହି ସମାଜ ଧିକ ସେ ଜାତି,

ଲୁଣ୍ଠିତ ଧନ ଖାଇ ବଢ଼ାଏ ଛାତି ।

ଦୁର୍ବଳ ଜନେ ପୀଡ଼ି ହରିଣ ଧନ

କରଇ ନିଜ ଜାତି ଗୌରବ ଗାନ ।

କୂଟନୀତି ବଳରେ ଠକେ ଯେ ଲୋକ,

ଧୂର୍ତ୍ତ ପାଷଣ୍ଡ ଧିକ ତାର ବିବେକ ।

ଧିକ ସେ ଧନ ଜନ ମହିମା ଗାଇ,

ନୀତିଭ୍ରଷ୍ଟ ହୋଇଣ ଜନେ ଦଣ୍ଡଇ ।

ଅନ୍ୟକୁ ଶୋଷି ନିଜେ ହୁଅଇ ପୁଷ୍ଟ,

ଧିକ ଧିକ ସେ ମୂଢ଼ ଧିକ ପାପିଷ୍ଠ ।

କର୍ତ୍ତବ୍ୟ-ପଥୁ ଯେହୁ ହୋଇ ବିଚ୍ୟୁତ,

ଦେଶ-ସମ୍ପଦ କରେ ଆତମ ସାତ ।

ସେ ପାପଫଳୁ ନିଜେ ହୁଅଇ ଧନୀ,

ସମାଜରେ ସେ ପୁଣି ହୁଅଇ ମାନୀ ।

ଅଧର୍ମୀ ଧନୀ ଦେଖି ଯେଉଁ ସମାଜ,

ମାନ-ସମ୍ମାନ ଦିଏ ହୋଇ ନିର୍ଲ୍ଲଜ ।

ଧିକ ସେହି ସମାଜ ଧିକ ସେ ଜାତି,

ଅସୁର ସମାଜରେ ତାର ଗଣତି ।

ଆଉ ବା କେତେ ତୋତେ କହିବି ମୁହିଁ,

ମରହଟ୍ଟା ଜାତିର ଗୌରବ କାହିଁ ?

ନିଜର ପାପବଳେ ହୋଇବ ଲୟ,

ଇତିହାସ ଗାଇବ ତାହା ନିଶ୍ଚୟ ।

ମୋତେ ବତାଉଅଛୁ ଧନ-ମହିମା,

ନେଇ ରଖ ମୋ ଦେଶେ ଦେଖାଅ ମୋ ମା’ ।

ନ ହେଲେ ତେଜିବଇଁ ମୋର ଜୀବନ,

ଜନନୀ ଜନ୍ମଭୂମି ମୋର ଧିଆନ’’ ।

ଏତେ କହିଣ ନୀଳ ରୁଷିଲା ଯାଇ,

ଅନାହାରେ ପଡ଼ିଲା ଅନ୍ଧାରେ ଶୋଇ ।

ଦିନକୁ ଦିନ ତନୁ ହୋଇଲା କ୍ଷୀଣ,

ମା’କୁ ଝୁରି ଝୁରି ତେଜିଲା ପ୍ରାଣ ।

Image

 

ଚତୁର୍ଥ ଅଧ୍ୟାୟ

(ରାଗ–କଳହଂସ କେଦାର)

 

ଦୂତୀ-ପାଳିତ ପୁତ୍ର ହେଲା ଲୋହିତ

‘ଚିନ୍ତାମଣି’ ନାମରେ ହୋଇଲା ଖ୍ୟାତ ।

ଖୋଜିଲା କିଛି ଦିନ ଲୋହିତ, ଭାଇ,

ବୃଥା ଭାବନା କଲା ନାହିଁ ତା ପାଇଁ ।

ମନେ କହିଲା ତାର ସମ୍ବଲପୁର,

ମନେ ରହିଲା ତାର ଜନନୀ, ଘର ।

ମନେ ରହିଲା ତାର ଭାଇର କଥା,

କଲା ନାହିଁ ମାତର ଭାବନା ବୃଥା ।

ଗୁରୁପ୍ରସାଦେ ତେଣେ ପଢ଼ିଲା ପାଠ,

ମରହଟ୍ଟା ଜାତିର ଗୌରବଶ୍ରେଷ୍ଠ ।

ବଙ୍ଗ, ଓଡ଼ିଶା, ମଗଧ ବା ବିହାର,

ଦିଲ୍ଲୀ, ଏଲାହାବାଦ, ଗଡ଼ ଲାହୋର ।

ରାଜସ୍ଥାନ, ସୈନ୍ଧବ ଦେଶ ଗୁର୍ଜର,

ବମ୍ବେଇ, ପୁନା, ନାଗପୁର ସହର ।

ତାଞ୍ଜୋର, ତିରୁଚିନାପଲ୍ଲୀ, ମୈଶୁର,

ମାନ୍ଦ୍ରାଜ, ହାଇଦରାବାଦ ନଗର ।

ଗ୍ୱାଲିଅର, ଇନ୍ଦୋର, ବରୋଦା ରାଜ୍ୟ,

ନାନା ସ୍ଥାନରେ ମରହଟ୍ଟା ସାମ୍ରାଜ୍ୟ ।

ବିସ୍ତାରିଛି ଜାତିର ଶୀର୍ଷ ଗୌରବ,

ପ୍ରସରିଛି ଜଗତେ ରୂପ ବୈଭବ ।

ସୈନିକବେଶେ ସର୍ବେ ଅଛନ୍ତି ରହି,

ତାଙ୍କ ପ୍ରତାପେ କମ୍ପେ ସକଳ ମହୀ ।

ଭାବେ ଯବନ ମୋର ହେଲା ପତନ,

ଭାବେ ଫିରଙ୍ଗୀ ନିଜେ ହେବ ବିଲୀନ ।

ଅନ୍ୟ ରାଜ-ଶକତି ପାଇଲେ ଭୟ,

ମରହଟ୍ଟା ସମ୍ମୁଖେ ହେଲେ ବିଲୟ ।

ଶିବାଙ୍କ ପରତାପେ କମ୍ପିଲା ଧରା,

ମରହଟ୍ଟା ସାମ୍ରାଜ୍ୟ ସ୍ଥାପିଲେ ପରା ।

ଭଗୁଆ ଝଣ୍ଡା ଫରହର ଉଡ଼ଇ,

ସୁପ୍ତ ସିଂହ ପରାୟେ ଜାତି ଗର୍ଜଇ ।

ଜୀବନ୍ତ ସମାଧିରେ ଗୁରୁ ଗୋବିନ୍ଦ,

ଶୋଇ ଭଜିଲେ ଚିରଦିନ ଆନନ୍ଦ ।

ରାଣା ପ୍ରତାପ କାନନରେ ରାଇଜ,

ବିସ୍ତାରି ଅନାହାରେ କଲେ ମଉଜ ।

ଦୁର୍ଗାବତୀ ନିଜକୁ ବଳି ବେଦୀରେ,

ଆଣି ଚଢ଼ାଇ ଦେଲେ ହର୍ଷ ମନରେ ।

କେତେ ଭାରତବାସୀ ମୁକତି ପାଇଁ,

ବଳି-ବେଦୀରେ ଶିର ଦେଲେ ଚଢ଼ାଇ ।

ସିନ୍ଧିଆ, ହୋଲକାର, ପେଶିବା ବଂଶ,

ଗାଇକୋବାଡ଼, ଭୋନ୍‍ସଲା ଏ ପାଞ୍ଚଅଂଶ ।

ଉଠାଇଛନ୍ତି ତରବାରି ରାଜ୍ୟରେ,

ଦେଶ-ଦ୍ରୋହୀର ଶିର କାଟି ସତ୍ୱରେ ।

ଚଢ଼ାଇଛନ୍ତି ନେଇ ବଳି-ବେଦୀର,

ଚଢ଼ାଇବେ ଭବିଷ୍ୟେ ପଣ ତାଙ୍କର ।

ନବ ଖଣ୍ଡ ମେଦିନୀ, ଭୟେ କମ୍ପଇ,

ବରଗୀ ଦଳ ପାଦ ଯେଣେ ପଡ଼ଇ ।

ଏକେ ଗରିଲା ଯୁଦ୍ଧ ପାହାଡ଼ ବଣ,

ଜଳ ସ୍ଥଳ ଆକାଶ ସର୍ବ ସମାନ ।

ସ୍ତିରୀ ପୁରୁଷ ବୀର ବା ବୀରଙ୍ଗନା,

ଜୀବନ ମରଣକୁ ନାହିଁ ଭାବନା ।

ଶ୍ରୀ ବଳବନ୍ତ ଚିନ୍ତାମଣି + ବାଳକ

ଅତିକ୍ରମି ହୋଇଲା ନବ ଯୁବକ ।

ମାଲ ବିନ୍ଧାଣ ପୁଣି ଅଶ୍ୱାରୋହଣ,

ଗଦା ମୁଦ୍‌ଗର ଯୁଦ୍ଧ ଖଡ୍‍ଗ ଚାଳନ ।

ଅସି, ଭଲ୍ଲ, କ୍ଷେପଣ ଯାବତ କ୍ରିୟା,

ଶିକ୍ଷା କରି ତେଜିଲା ଜୀବନ-ମାୟା ।

ମାତ୍ର ରହିଲା ଘରେ ଚାଳକପଣେ,

ଘରକରଣା କଥା ଶିଖିଲା ଏଣେ ।

ବଳବନ୍ତଙ୍କ ଥିଲା ଅମାପ ଧନ,

ସପ୍ତ ଘୋଟକେ ଗୃହ ଦିଶେ ଶୋଭନ ।

ପୁଷ୍ପବାଟିକା ଫଳମୂଳ ଉଦ୍ୟାନ,

ଜାଗିରଦାର ସେହି ଉଚ୍ଚ ଆସନ ।

ପାଇଥାନ୍ତି ଭୋନ୍‌ସଲା ଦରବାରରେ,

ଖଟୁଥାନ୍ତି ଅମାତ୍ୟ ବହୁସଂଖ୍ୟାରେ ।

କୁଢ଼ କୁଢ଼ ଅସର୍ପି ଝଲକୁଥାଇ,

ମୋତି, ମାଣିକ୍ୟ, ହୀରା, ନୀଳା ଜଳଇ ।

ଅଷ୍ଟରତ୍ନ ପଲ୍ୟଙ୍କ ସୁବର୍ଣ୍ଣ ଜରି,

ପାଟବସନ ଘରେ ରହିଛି ପୂରି ।

ଭବନ ଅଟେ କି ସେ ରାଜଭବନ,

ତମ୍ବା କବାଟ ପଡ଼ିଥାଏ ଦ୍ୱାରେଣ ।

ପ୍ରହରୀରୂପେ ଥାନ୍ତି ବନ୍ଧୁକ-ଧାରୀ,

ସତେ କି ରାଜକୋଷ ରହିଛି ପୂରି ।

ବାସନକୁସନ ତା ସ୍ୱର୍ଣ୍ଣେ ନିର୍ମାଣ,

ଗଡ଼ୁ, ଗରିଆ, ସ୍ୱର୍ଣ୍ଣ ରୌପ୍ୟର ଜାଣ ।

କୁବେର ଭଣ୍ଡାର ତା ନୁହଇ କହି,

ଯାହା ଚାହିଁଲେ ତେଣେ ପୂରି ଅଛଇ ।

କାମଧେନୁ ସଦୃଶ ଗାଭୀ ତାଙ୍କର

ଦଧି ଦୁଧର ଘର କି ଗୋପପୁର ।

ଗୋଲାପ-ଜଳ ସ୍ନାନକୁଣ୍ଡେ ପୂରାଇ,

ଗାତ୍ର ଧୌତ କରନ୍ତି ପ୍ରାତଃରୁ ଯାଇ ।

ଅଗୁରୁ ଚନ୍ଦନରେ ଲିପ୍ତ ଶରୀର,

ସୁବାସ ଚହଟଇ ଚଉଦିଗର ।

ପ୍ରତିଦିନ ସନ୍ଧ୍ୟାରେ ସଭା-ଭବନ,

ସେନାପତି ଅମାତ୍ୟେ ହୁଏ ପୂରଣ ।

ରାଜ୍ୟ ବିସ୍ତାର କଥା ରାଜ୍ୟ ଲୁଣ୍ଠନ,

ଧନରତ୍ନ ସଂଗ୍ରହ ‘ଚୌଥ’ ଗ୍ରହଣ ।

‘ସର୍‌ଦେଶମୁଖୀ’ ଆଦି ନାନା ଖଜଣା,

ଆଦାୟ କରୁଥାନ୍ତି ଦେଇ ଗଞ୍ଜଣା ।

ଦେଶ ହିତ ତାଙ୍କର ଏକାନ୍ତ ବ୍ରତ,

ସ୍ୱାଧୀନତା ପ୍ରାପତ ଲକ୍ଷ୍ୟ ନିୟତ ।

ଯବନ କବଳରୁ ଦେଶ ଉଦ୍ଧାର,

କରିବାକୁ ଇଚ୍ଛୁକ ମରଟ୍‌ଠା ବୀର ।

ଶୀତ ଗ୍ରୀଷମ ବର୍ଷା ଦିବା ବା ରାତି,

ନ ମାନି ଯୁଝୁଥାନ୍ତି ସଙ୍ଗେ ଅରାତି ।

ଚଉଦିଗେ ପଡ଼ନ୍ତି ସୈନ୍ୟ ଧସାଇ,

ତା ଦେଖି ଶତ୍ରୁ ଅକାବକା ହୁଅଇ ।

ନବାବେ ବସିଥାନ୍ତି ନିଜ ଗାଦୀରେ,

ମରଟ୍‌ଠା ସୈନ୍ୟ ମାଡ଼ିଯାନ୍ତି ରାଜ୍ୟରେ ।

ଗତିରୋଧ କେ କରିପାରନ୍ତି ନାହିଁ,

ଦେଉଥାଆନ୍ତି ଚଉଦିଗ କମ୍ପାଇ ।

ଶ୍ରୀ ବଳବନ୍ତ ଚିନ୍ତାମଣି ରାଓର,

ମନେ ପୂରୁବ କଥା ଥରକୁ ଥର ।

ଜାଗୁଥାଇ ଜନନୀ ଜାଗଇ ଦେଶ,

ଭାବେ କି କରୁଥିବେ ସମ୍ବଳ-ଈଶ ।

ଭୂପ ସିଂହ ରାଜତ୍ୱ କରନ୍ତି ଥାଇ,

ନାଗପୁର ରାଜାଙ୍କ ହୁକୁମ ପାଇ ।

ଜଇତ ସିଂହ ପୁଣି ଶ୍ରୀ ମହାରାଜ,

ପିତା ପୁତ୍ର କଏଦୀ ଅଛନ୍ତି ଆଜ ।

ମନେ କରେ ବିଚାର ଭୋନ୍‌ସଲା ରାଜା,

ଛାଡ଼ିଦେବେ ଜଇତ ଦେଲେ ତନୁଜା ।

ରାଜନୀତିର ପେଞ୍ଚ ନୁହଇ କହି,

ଆକବର ନୁହନ୍ତି ମରଟ୍‌ଠା-ସାଇଁ ।

ଏତେ ବୋଲି ସେ କାମୁ ହେଲା ନିବୃତ୍ତ,

ନାନା ଚିନ୍ତାରେ ପଡ଼ି ହେଲା ବିବ୍ରତ ।

‘ସାଲବାଇ’ ଯୁଦ୍ଧରେ ଶ୍ରୀ ବଳବନ୍ତ,

ସେନାପତି-ପଣରେ ହୋଇଲେ ଅନ୍ତ ।

ରାଧା ଦୂତୀ ଉଭୟେ ଗମିଲେ ସତୀ,

ଚିନ୍ତାମଣି ପାଇଲା ପିତୃ-ସମ୍ପତ୍ତି ।

ବଂଶୀୟ ଭାଇ ମଧ୍ୟେ ଈର୍ଷା ଜନ୍ମିଲା,

ଚିନ୍ତାମଣିର ମନେ ଚିନ୍ତା ହୋଇଲା ।

ଏତେ ବଡ଼ ସମ୍ପତ୍ତି ପାଇଛି ମୁହିଁ,

ଲୁଣ୍ଠିତ ଧନ ଭୋଗଯୋଗ୍ୟ ନୁହଇ ।

ବଂଶୀୟ ଭାଇ ମଧ୍ୟେ ଷଡ଼ଯନ୍ତର,

ଚାଲିଲା ଚିନ୍ତାମଣି ହେବ ସଂହାର ।

ବଳବନ୍ତଙ୍କ ଭାଇ ପୁତୁରା ଥାଉଁ,

ଚିନ୍ତାମଣି କି ତିଷ୍ଠି ପାରିବ ଆଉ ?

କର୍ଣ୍ଣୁ କର୍ଣ୍ଣକୁ ଗଲା ଷଡ଼ଯନ୍ତର,

ପଡ଼ିଲା ଆସି ଚିନ୍ତାମଣି କର୍ଣ୍ଣର ।

ଭାବିଲା ଧନ ପାଇଁ ଯିବ ଜୀବନ,

ଜନନୀ ପାଇଁ ଗଲା ଭାଇ-ପରାଣ ।

ଧନ-ଜୀବନ କେବେ ନୁହଇ ଚିର,

ତଥାପି ମନ ଇଚ୍ଛେ ଧନ ଅପାର ।

ଧନ ପାଇଁ ଜୀବନ ଦିଅଇ ପ୍ରାଣି,

ହୁଅଇ ବୋଲି ଧନେ ମାନୀ ସମ୍ମାନୀ ।

କିନ୍ତୁ ନୁହେ ଏ ଧନ ସ୍ୱ ଉପାର୍ଜିତ,

ଦାନ ବା ଭୋଗ ଏଣୁ ନୁହେ ବାଞ୍ଛିତ ।

ଦ୍ୱିଧାରେ ପଡ଼ି ଚିନ୍ତା ହୁଅଇ ଘାରି,

ଭୋଗ ବା ଦାନ ଏହା ହେବ କିପରି ?

ରହି କରିଲେ ଭୋଗ ଯିବ ଜୀବନ,

କାହାକୁ କି ପ୍ରକାରେ ଦେବି ବା ଦାନ ।

ସମାଜ ନ ଘେନଇ ମୋର ସମ୍ପତ୍ତି,

ଏଣୁ ରହିଛି ଏଥେ ମହାବିପତ୍ତି ।

ବିଶ୍ୱସ୍ତ ସୂତ୍ରେ କେତେ ଜନେ ପୁଚ୍ଛଇ,

କି ଉପାୟ କରିବି ଦିଅ ବତାଇ ।

ବିଶ୍ୱାସୀ ଲୋକେ ଥୋକେ କହିଲେ, ‘‘ଭାଇ !

ଗୋପନେ ନେଇ ଧନ ଯାଅ ପଳାଇ ।

କହୁଛୁ ଭାଇ ! ତୋର ରହିଛି ଦେଶ,

ବନ୍ଧୁ-ବାନ୍ଧବ ତେଣେ ଥିବେ ଅବଶ୍ୟ’’ ।

ଏ ଉପଦେଶ ଯହୁଁ ଚିନ୍ତା ପାଇଲା,

ସ୍ୱଦେଶପ୍ରେମ ତେଣେ ଜାଗି ଉଠିଲା ।

ଜନମ ଭୂଇଁ ସ୍ୱର୍ଗ, ଜନନୀ ପ୍ରାଣ,

ତା ବିନା ତୁଚ୍ଛ ଧନ ମାନ ସମ୍ମାନ ।

ଦେଶପାଇଁ ଜୀବନ ତେଜନ୍ତି ବୀରେ,

ଦେଶପାଇଁ ଯୁଝନ୍ତି ସକଳ ଶୂରେ ।

ଦେଶର ହିତ ଚିନ୍ତା ନ କଲେ ଜନ,

ଜୀବନ୍ତ-ମୃତ ଧିକ ତାର ଜୀବନ ।

ସାମ୍ରାଜ୍ୟ ବିସ୍ତାରିବା ନାହିଁ ମୋ ଇଚ୍ଛା,

ନୁହେଁ ମୁଁ ମରହଟ୍ଟା ବଂଶର ବତ୍ସା ।

ଓଡ଼ିଆ ରକତରେ ଗଢ଼ା ଶରୀର,

ଓଡ଼ିଆ ପରିଚୟ ଦେବି ମୋହର ।

ଓଡ଼ିଆ ନାମେ ଥିବି ଯେଣେହେଁ ରହି,

ଓଡ଼ିଆର ଗୌରବ ଥିବି ମୁଁ ଗାଇ ।

ସମ୍ବଲପୁର ଦେଶ ମା’ ସମଲାଈ,

ତାଙ୍କ କୀରତି ଭୁଲିଯିବି କିପାଇଁ ?

ଜାତି ବା ଦେଶ କିମ୍ବା ଭାଷା ନିଜର,

ଲୁଚାଏ ଯେହୁ ଦେଶଦ୍ରୋହୀ ସେ ନର ।

କରୁ ବା କୁଲିଗିରି ସାହେବିଗିରି,

ବାଣିଜ୍ୟ ବ୍ୟବସାୟ କରୁ ଚାକିରୀ ।

ହେଉ ପଣ୍ଡିତ ଅବା ଗଣ୍ଡ ମୂରୁଖ,

ଲୁଚାଏ ନାହିଁ କେବେ ଜନ ବିବେକ ।

ଭାଇ ତେଜିଲେ ପ୍ରାଣ ଜନନୀ ପାଇଁ,

ତାଙ୍କ କାମନା ସିଦ୍ଧ କରିବି ମୁହିଁ ।

ଏହା ଭାବି ବିଶ୍ୱସ୍ତ ଭୃତ୍ୟକୁ ରାଇ,

ଅପାର ଧନରତ୍ନ ତାହାକୁ ଦେଇ ।

କହିଲା ସବୁ କଥା ଗୁପତପଣେ,

ଗୁପତରୁ ଗୁପତ କେହି ନ ଜାଣେ ।

ଅଶ୍ୱଶାଳରେ ଥିଲା ‘‘ମହାମାଣିକ୍ୟ’’,

ଷୋଳ ଚାଖଣ୍ଡ ଉଚ୍ଚ ଟେକିଲେ ବେକ ।

ଚର୍ମ ଥଇଲା ମଧ୍ୟେ ବେନି ମହଣ,

ଅସର୍ପି ପୂରାଇଣ ବାନ୍ଧିଲା ଟାଣ ।

ପାଟ ବସନ ସ୍ୱର୍ଣ୍ଣ ଜରିରେ ବୁଣା,

ଅଶ୍ୱପୃଷ୍ଠରେ ଥୋଇ ଢାଙ୍କିଲା କନା ।

ଅନ୍ୟ ଅଶ୍ୱପୃଷ୍ଠରେ ତାହାକୁ ଜାଣି,

ବାନ୍ଧିଲା ଧନରତ୍ନ ନୁହଇ ଗଣି ।

ଅର୍ଦ୍ଧରାତ୍ରିରେ ହୋଇ ଦୁହେଁ ତିଆର,

ଚଢ଼ି ଅଶ୍ୱପୃଷ୍ଠରେ ତେଜିଲେ ଘର ।

ଯେବଣ ବାଟ ନୀଳ ଥିଲା ବତାଇ,

ଲୋହିତ ସେହି ପଥେ ଗଲା ପଳାଇ ।

ପନ୍ଦର ଦିନେ ଆସି ସମ୍ବଲପୁର,

ନଗରେ ପ୍ରବେଶିଲେ ଉଭୟ ବୀର ।

ଭଡ଼ାରେ କୋଠାଘର ବଡ଼ ହାଟରେ,

ନେଇ ରହିଲେ ବ୍ୟବସାୟୀ ଛଳରେ ।

ଭୂପ ସିଂହଙ୍କ ପାଶେ ହୋଇଲେ ଉଭା,

ମରଟ୍‌ଠା ବୀରପଣେ ପାଆନ୍ତି ଶୋଭା ।

ରାଜାଙ୍କ ଆଦେଶରେ ଗୃହ ନିର୍ମାଣ,

କରାଇ ବଡ଼ ହାଟେ ରହିଲେ ପୁଣ ।

ଶତାବ୍ଦୀ ସପ୍ତଦଶ ଅଠାନବେରେ,

ଚାଉଳ ବ୍ୟବସାୟ କଲେ ସେଠାରେ ।

‘‘ନୂଆ ମହାଜନ’’ର ଡାକ ପଡ଼ିଲା,

ଚାଉଳ କୁଚୁନୀଙ୍କି ସୁଗମ ହେଲା ।

ଧାଇଁଲେ ଦଳ ଦଳ ହୋଇ ତା ପାଖ,

ବୋଇଲେ ଭଲ ମହାଜନ ଏ ଦେଖ ।

ଚାଉଳ ନେଇ ଯେବେ ମୂଲ ଦିଅଇ,

ବାଟ ଖରଚ ଅଣେ ପଣେ ଯାଚଇ ।

ଏ ବ୍ୟବହାର ଦେଖି ଲୋକେ ତାହାର,

ଚାରିଆଡ଼େ ଗାଇଲେ ଗୁଣ ଅପାର ।

ଆବାଳ-ବୃଦ୍ଧ-ବୃଦ୍ଧା-ଯୁବା-ଯୁବତୀ,

ଚାଉଳ ବିକିବାକୁ ଧାଇଁଲେ କତି ।

ବ୍ୟବସାୟୀ ରୂପରେ ବଡ଼ ହାଟରେ,

ଧନ ଅର୍ଜନ କଲା ମନଖୁସିରେ ।

ଧନରତ୍ନ ଅର୍ଜିଲା ଏଣେ ଅଶେଷ,

ଲଗାଇଲା ଭିତରେ ମାତା ସନ୍ଦେଶ ।

 

ପଞ୍ଚମ ଅଧ୍ୟାୟ

(ରାଗ–କଳହଂସ କେଦାର)

 

ନବେ ବରଷ ବୁଢ଼ୀ ଗଉରୀ ଏଣେ,

ଶୁଣିଲା ଆସିଅଛି ଯୁବକ ଜଣେ ।

କରୁଛି ମହାଜନୀ ଚାଉଳ ନେଇ,

ସୁଲଭ ମୂଲେ ବିକାକିଣା କରଇ ।

ମନେ ବିଚାର କଲା ‘‘ମୋହର ପୁଅ’’,

ଫେରି ଆସିଛି ସତ୍ୟ ସତ୍ୟ ନିଶ୍ଚୟ ।

ଦେଖିବ ତାର ରୂପ ପୁଚ୍ଛିବ ଯାଇ,

କେଉଁ ଦେଶର ପିଲା ଅଟଇ ସେହି ।

ଦିନେ ଗାଁ କୁଚୁନୀମାନଙ୍କ ସଙ୍ଗେ,

ଧାଇଁ ଆସିଲା ବୁଢ଼ୀ ମନ ଆବେଗେ ।

ଜୁଳୁ ଜୁଳୁ ଦିଶୁଛି ବେନି ନୟନ,

ଝୁଙ୍କି ପଡ଼ିଛି ଅଣ୍ଟା ନମ୍ର ବଚନ ।

ମସ୍ତକେ ଶୁଭ୍ର କେଶ ଲୋଳିତ ଚର୍ମ,

କମ୍ପଇ ଥରହର ମତି ବିଭ୍ରମ ।

ପଦେ ପଦେ ପକାଏ ଦୀର୍ଘ ନିଃଶ୍ୱାସ,

ଥକା ମାରଇ ପଥେ ହୋଇ ଅବଶ ।

କୁଚୁନୀ ଯେତେ ଗାଳି ଦିଅନ୍ତି ଏଣେ,

‘‘ମହାଜନକୁ ପୁଅ ବୋଲୁଛି କେଣେ ।

କିଏ ନେଲା ପୁଅଙ୍କୁ କାହିଁ ଖୋଜଇ,

ଆଣ୍ଠୁକୁଡ଼ି ହେବାର ଥିଲା ଯୋଗାଇ ।

ଯେ କେହି ଆସେ ତାକୁ କହେ ମୋ ପୁଅ,

ନିତି ବୁହାଉଅଛି ନେତ୍ରରୁ ଲୁହ ।

ୟା ପରି ଅଭାଗିନୀ ଆମ ଗୋଚରେ,

ନ ଥିବେ କେହି ଏହି ସମ୍ବଲପୁରେ ।

ଯେତେ କହିଲେ କଥା ନ ଶୁଣେ ବୁଢ଼ୀ,

ବୃଥାରେ ଆସି ପଥ ମରୁଛି ହୁଡ଼ି ।

ବୁଢ଼ୀର କଥା ଶୁଣି ହସିବ ସାହୁ,

କହିବ ଯା’ କହିଲୁ ଏତିକି ଥାଉ ।

ମରହଟ୍ଟାର ପୁଅ ସେ ମହାଜନ,

ନୀଳ, ଲୋହିତ କି ତା ସଙ୍ଗେ ଭାଜନ ।

ଏ ବଡ଼ଘର ପୁଅ, ନୀଳ ଗରୀବ,

କାହୁଁ ପାଇବ ଘୋଡ଼ା ଏତେ ବିଭବ ?

ମତି ବିଭ୍ରମେ ବୁଢ଼ୀ କହଇ ଯେଣୁ,

ପ୍ରବୋଧ ଦେବାପାଇଁ ଆଣିଲୁ ତେଣୁ ।

ସେ ଯାହା କହୁ ପଛେ ଆମେ ମଉନେ,

ଶୁଣୁଥିବା ତା କଥା ଲୁଚି ଗୋପନେ ।

ମହାଜନକୁ କିପାଁ କହିବା ଏହା,

ବୁଢ଼ୀ ଅଟଇ କି ସେ ତୁମର ମାଆ ?’’

ଏମନ୍ତ କହୁଁ କହୁଁ ଦୁଇପ୍ରହରେ,

ପ୍ରବେଶ ହେଲେ ଆସି ବଡ଼ ହାଟରେ ।

ମହାଜନ ଦୋକାନେ ହେଲେ ପ୍ରବେଶ,

ବୁଢ଼ୀ ଦେଖି ପକାଏ ଦୀର୍ଘ ନିଃଶ୍ୱାସ ।

ମନେ କରେ ବିଚାର ଅଟେ ମୋ ପୁଅ,

ପୁଣି ମନରେ ଜାତ ହୁଏ ସନ୍ଦେହ ।

କହିବି ଅବା ନାହିଁ ଦ୍ୱିଧା ମନରେ,

କେବେ ଯାଏ ଆଗକୁ କେବେ ପଛରେ ।

ମନ କହଇ-ଏହି ଅଟେ ତୋ ସୂନୁ,

ବିବେକ କହେ-କିପାଁ ତା ସତ୍ୟ ମଣୁ ।

ମନ କହଇ-ଦୂରୁ ଆସିଛୁ ଧାଇଁ,

ବିବେକ କହେ-ତାକୁ ଚିହ୍ନିବା ପାଇଁ ।

ମନ କହଇ-ଥରେ ଯାଇ ପଚାର,

ବିବେକ କହେ- ସତେ ତୋର କୁମର ?

ହୃଦରେ ଦ୍ୱିଧା ଯେବେ ହୋଇଲା ଜାତ,

ଦୃଢ଼ କଲା ମନରେ ନିଶ୍ଚେ ଲୋହିତ ।

ମହାଜନ ପାଖରେ ହୋଇଲା ଠିଆ,

ଦେଖିଲା ରୂପରେଖ ସକଳ ନୂଆ ।

ଆକାର ପରକାର ଦେଖି କହିଲା,

‘‘କେଉଁ ଦେଶର ପୁଅ ? କହରେ ବଳା !

ମହାଜନର ଛାତି ଧଡ଼କି ଗଲା,

ମାଆ ଆସି କି ପାଖେ ଉଭା ହୋଇଲା ।

କହିଲା, ‘‘ଘରେ କ୍ଷଣେ ବସ ଗୋ ତୁହି,

କାମ ସଇଲେ ସବୁ ଦେବି ବତାଇ ।’’

ଏହା କହିଣ ଅମାତ୍ୟକୁ ଡାକିଲା,

ଚାଉଳ ମାପିବାକୁ ହୁକୁମ ଦେଲା ।

କାମ ସାରିଣ ସର୍ବେ ଚଳିଲେ ଘର,

ମହାଜନ ଘରରୁ ହେଲା ବାହାର ।

ବୁଢ଼ୀ ବସିଛି ଏକା ମଉନ ହୋଇ,

ମହାଜନ ଆସିବ ଅଛି ଅନାଇ ।

ସନ୍ଧ୍ୟାରେ ଦୁହେଁ ଯେବେ ହୋଇଲେ ଭେଟ,

ବୁଢ଼ୀ କହିଲା, ‘‘ତୁ ମୋ ନନ୍ଦର ଚାଟ ।

ଦୁଇ ପୁଅଙ୍କୁ ଆଖୁବାଡ଼ିରେ ଥୋଇ,

ନୀଳ, ଲୋହିତ ନାମେ ବାଳକ ଦୁଇ ।

ଗଲି ମୁଁ ଧାନ କୁଟି ତାଙ୍କୁ କହିଲି,

ଚଣା ମୁଢ଼ି ଖାଇବ ନ କରି କଳି ।

ବାରଟାରେ ଫେରିଲି ଯେବେ କାମରୁ,

ବାଳକେ କିଏ ନେଲା ଆଖୁବାଡ଼ିରୁ’’ ।

ଏତେ କହି କାନ୍ଦିଲା ବୁଢ଼ୀ ଆକୁଳେ,

ତୁ ମୋର ପୁଅ ବୋଲି ଲୋଟିଲା ତଳେ ।

ମହାଜନ ବିଚାରେ ଏହି ବୃତ୍ତାନ୍ତ,

ନୀଳ ଯା କହୁଥିଲା ଅଟେ ଏ ସତ୍ୟ ।

‘‘ଇବ ତଟିନୀ ତୀରେ ଯାମନପଲ୍ଲୀ,

ଚକ୍ରଧର ପଧାନ ଗଉରୀ ଆଳୀ ।

ପିତାମାତା ଅଟନ୍ତି ସେହି ଆମର,

ନୀଳ ଲୋହିତ ଆମେ ଦୁଇ କୁମର ।

କାଠର ପାଇଁ ପିତା ଗଲେ ଅରଣ୍ୟ,

ବାଘ ବିନାଶ କଲା ତାଙ୍କ ପରାଣ ।

ମାତା କରି ମଜୁରି ଯାହା ପାଆନ୍ତି,

ଆମ୍ଭଙ୍କୁ ଖୁଆଇ ସେ ଦିନ କାଟନ୍ତି ।

ଅରାଜକ ହୋଇଲା ସମ୍ବଲପୁର,

ବରଗୀ ଦଳ ବୁଲି ବୁଲି ଗ୍ରାମର ।

ନିଅନ୍ତି ଧନରତ୍ନ ଶିଶୁ ସନ୍ତାନ,

କ୍ରୀତ-ଦାସପଣରେ କରି ପାଳନ ।

ଧାନ କୁଟିବା ପାଇଁ ମାତା ଆମର,

ଗଲେ ଆମକୁ ରଖି ଆଖୁବାଡ଼ିର ।’’-

ବୁଢ଼ୀ ଶୁଣି ଆକୁଳେ ଆଉ କାନ୍ଦଇ,

ଆହା ମୋ ନୀଳ ପୁଅ ଲୁଚିଲୁ କାହିଁ ।

‘‘ନୀଳ ଲୁଟିଲା ଯହୁଁ ମୋ ଖାଦ୍ୟଭାଗ,

କାନ୍ଦିଲି ଉଚ୍ଚେ ମୁହିଁ ହୋଇ ଉଦ୍‌ବେଗ ।

ଏତିକି ବେଳେ ମୋର କ୍ରନ୍ଦନ ଶୁଣି,

ବରଗୀ ଦୁଇ ନେଲେ ଆମଙ୍କୁ ଟାଣି ।’’

ଟାଣିବା କଥା ଶୁଣି ବୁଢ଼ୀ କାନ୍ଦିଲା,

କହିବା କଥା ଆଗେ ବନ୍ଦ ହୋଇଲା ।

‘‘କେତେ କଷଣ ମୋର ପାଇଲ ପୋଏ,

ଦୁଃଖ କାହାଣୀ ଆଉ ମନ ନ ଚାହେଁ ।

କେଣେ ଗଲା ମୋ ନୀଳ କହରେ ପୁଅ ?

ତା କଥା ନ ଶୁଣି ମୋ ବଢ଼ୁଛି କୋହ ।’’

ଲୋହିତ ସବୁ କଥା ଦେଲା ବତାଇ,

ନୀଳ ଝରିବା କଥା ଜନନୀ ପାଇଁ ।

ଜନନୀ ଜନ୍ମଭୂମି ପାଇଁ ନୀଳର,

ପ୍ରାଣ ଯେପରି ପିଣ୍ଡୁ ହେଲା ଅନ୍ତର ।

ଶୁଣନ୍ତେ ମାତାପ୍ରାଣ ଥରେ ଆକୁଳେ,

କାନ୍ଦିଲେ ମାତାପୁଅ ମହାବିକଳେ ।

ଶୋକ ବିହ୍ୱଳେ ପୂର୍ଣ୍ଣ ହୋଇଲା ପୁର,

ପଡ଼ୋଶୀ ଶୁଣି ହେଲେ ଶୋକେ କାତର ।

ମାତା ପୁଅର ଭେଟ କେତେ କାଳରୁ,

ହୋଇଛି ଜାଣି ସର୍ବେ ମୁଖ ମୁଖରୁ ।

ବ୍ୟାପିଲା ସେ କାହାଣୀ ସାରା ଦେଶର,

ନ ଥିଲେହେଁ ତେବେ ସମ୍ବାଦ- ପତର ।

ନ ଥିଲା ରେଳଗାଡ଼ି ଅବା ମଟର,

କି ଅବା ବ୍ୟୋମଯାନ ଆଜିକାଲିର ।

ଲେଖା ନ ଥିଲା ଏହା ଇତିହାସରେ,

ରହିଛି ଖୋଦା ହୋଇ ଜନ-ସ୍ମୃତିରେ ।

ଲୋହିତ ଜାଣେ ମାତା ନିଶ୍ଚେ ତାହାର,

ମାତା ଜାଣିଲା ଏ ଲୋହିତ କୁମର ।

ଶୋକାଶ୍ରୁ ଆନନ୍ଦାଶ୍ରୁ ମିଶ୍ରଣ କାଳେ,

ଅନ୍ଧାର ଆଲୋକ କି ଆସି ମିଶିଲେ ।

ପୁତ୍ର-ବିୟୋଗେ ମାତା ଭୋଗିଲା ନିଶି,

ପୁତ୍ର-ଆଗମେ ଉଷା ହସିଲା ଆସି ।

ପୁତ୍ର-ବିୟୋଗେ ହେଲା ଯେ ହୃଦ ଘାରି,

ପୁତ୍ର-ଆଗମେ ଆନନ୍ଦର ଲହରୀ ।

ବିୟୋଗେ ମୁଦିଥିଲା ମନ-କୁମୁଦ,

ଆଗମେ ବିକଶିଲା ହୋଇଣ ମୋଦ ।

ଅଭାବେ ଦୀପ ହେଉଥିଲା ନିର୍ବାଣ,

ଭାବେ ହେଲା ବିକାଶ ଗୃହ ପ୍ରାଙ୍ଗଣ ।

ଶଶି ବିନା ଯେ ନିଶି ଥିଲା ଅନ୍ଧାର,

ଶଶି ଆଗମେ ଦିଶେ କି ମନୋହର ।

ଧନୀ ହରାଇ ଧନ ଥିଲା ସେ ରଙ୍କ,

ଏବେ ପ୍ରାପତ ହୋଇ ପୁଣି ଧନିକ ।

ଗଳାର ମାଳା ହଜିଥିଲା ତାହାର,

ଫେରିପାଇଛି ଅଷ୍ଟରତ୍ନ ଭଣ୍ଡାର ।

ଜଳ ବିହୀନେ ଶୁଷ୍କ ଥିଲା ତଟିନୀ,

ଜଳ ବହୁଳେ ପୂର୍ଣ୍ଣ ତଟଗାମିନୀ ।

ହରାଇଥିଲା ବତ୍ସା ପାଇଛି ଫେରି,

ମୁମୂର୍ଷୁ ଜୀବ ପାଇ ଉଠେ ହୁଙ୍କାରି ।

ପତ୍ର ବିହୀନେ ତରୁ ଥିଲା ଶ୍ରୀହୀନ,

ପତ୍ର ବହୁଳେ ଏବେ ଶୋଭାୟମାନ ।

ବୁଦ୍ଧ କି ତପ ସାଧି ଅସ୍ଥି କଙ୍କାଳ,

ଏବେ ପାଇ ପ୍ରଫୁଲ୍ଲ ଜ୍ଞାନ-ସମ୍ବଳ ।

ଚିନ୍ତା-ଅନଳେ ପୋଡ଼ି ଯେବଣ କାୟା,

ଝୁଙ୍କିଥିଲା ଆଗରୁ ଏବେ ସେ ଠିଆ ।

ଗଉରୀର ଆନନ୍ଦ ନୁହଇ କହି,

ସତେ କି ଅଛି ଇନ୍ଦ୍ର-ଭବନେ ରହି ।

ବୋଇଲା, ‘‘ବାପଧନ ! ଜାତି କୁଟୁମ୍ବ,

ପୂରି ଅଛନ୍ତି ଚାଲ ନୋହି ବିଳମ୍ବ ।

ବିନା ସମାଜେ ଏଣେ ଥିବ କିପରି ?

ଦେଶେ ରହିବା କିପାଁ ବିଦେଶୀ ପରି ।

ଚାଲ ଯିବା ଆମର ଗ୍ରାମକୁ ଫେରି,

ତେଣେ କରିବା କୋଠାବାଡ଼ି ତିଆରି ।

ସୁନ୍ଦରୀ ଦୁହିତାଏ ଅଛି ତୋ ପାଇଁ,

ତୋ ହାତେ ଛନ୍ଦିଦେବି ନ ଭାଳ ତୁହି’’ ।

ମାତା ବଚନେ ପୁଅ ହେଲା ସ୍ୱୀକୃତ,

ଜାତିକୁଟୁମ୍ବ ଉଭା ହେଲେ ତୁରିତ ।

ଯାମପାଲ୍ଲିରେ ଗୃହ କଲା ନିର୍ମାଣ,

ଅପାର ଧନରତ୍ନ ହେଲା ପୂରଣ ।

କୁଳ-ପ୍ରଥାନୁସାରେ ହେଲା ସଂସ୍କାର,

କୁଳିତା ସମାଜରେ ମିଶିଲା ବୀର ।

‘ରସିଆ ପାଲି’ ଗ୍ରାମେ ବୈଷ୍ଣବ ପାତ୍ର-

ଘରେ ଏକ ଦୁହିତା ସୁନ୍ଦର ଗାତ୍ର ।

ରୂପଗୁଣରେ ଥିଲା ଜିଣି ଗଉରୀ,

ମୃଗନୟନୀ କଟି ଜିଣି କେଶରୀ ।

ବୀଣାଜିଣା-ଭାଷିଣୀ କୁଞ୍ଚିତ କେଶୀ,

କର୍ମେ ପ୍ରବିଣା ବୟସରେ ଷୋଡ଼ଶୀ ।

ମୃଦୁ-ମନ୍ଦ-ଗାମିନୀ ନମ୍ର-ବଦନୀ,

ଯୁବା-ଜନ-ମାନସ-ହୃଦ-ହାରିଣୀ ।

ଲୋହିତ ସଙ୍ଗେ ତାର ହୋଇଲା ବିଭା,

ହର-ଭବାନୀ ଯେହ୍ନେ ପାଇଲେ ପାଇଲେ ଶୋଭା ।

କି ନଳ-ଦମୟନ୍ତୀ, ପୁରୁ-ଉର୍ବଶୀ,

କି ରାମ-ସୀତା ଶୋଭା ପାଆନ୍ତି ଆସି ।

ବେଦମନ୍ତ୍ର ଗାଇଲେ ବ୍ରାହ୍ମଣମାନେ,

ଆଶିଷ ଦେଲେ ଗୁରୁ ବେଦ ବଚନେ ।

କୁଟୁମ୍ବ ଇଷ୍ଟ ମିତ୍ର ବନ୍ଧୁବାନ୍ଧବ,

ମିଳି ପାଞ୍ଚିଲେ ତାଙ୍କ ସକଳ ଶୁଭ ।

ସର୍ବ ଶୁଭେ ସମାପ୍ତ ହୋଇଲା ବିଭା,

ଫୁଟିଲା ଲୋହିତର ଦ୍ୱିଗୁଣ ପ୍ରଭା।

ବର୍ଷ ପରେ ମାତାର ପୂରିଲା କାଳ,

ମାତା ବିନା ଲୋହିତ ହେଲା ବିକଳ ।

ଶଉଚ ଶୁଦ୍ଧକ୍ରିୟା ସାରିଲା ଯେବେ,

ଭୂପ ସିଂହଙ୍କ ପାଖ ଆସିଲା ତେବେ ।

ରାଜା ଶୁଣିଲେ ତାର ସର୍ବ ବୃତ୍ତାନ୍ତ,

ସେନାପତି ପଦରେ କଲେ ନିଯୁକ୍ତ ।

ଶହେ ମାଣ ଜାଗିର ଲୋହିତ ନାମେ,

ପ୍ରଦାନିଲେ ରାଜନ ରମେଲା ଗ୍ରାମେ ।

ଗୁଜା ପାହାଡ଼ ତଳେ ଅଛି ତା ରହି,

ବନ୍ଧ ପୋଖରୀ ତେଣେ ଦେଲା ଖୋଳାଇ ।

ଷାଠିଏ ମାଣ ଜମି ଧାନ କିଆରୀ,

କରାଇଲା ଲୋହିତ ତେଣେ ତିଆରି ।

ତାଳ, ଆମ୍ବ, ଖର୍ଜୁର, ପଣସ ବଣ,

ଚାର, ମହୁଲ, ଲଗାଇଲା ବହନ ।

ହୋଇଲେ ବେନି ପୁଅ ଏକ ଦୁହିତା,

ବିବାହ ସାରି ମନୁ ଛାଡ଼ିଲା ଚିନ୍ତା ।

ସେନାପତି ପଦରୁ ପାଇ ନିସ୍ତାର,

ମାସରେ ବିଂଶ ମୁଦ୍ରା ପାଇଲା ବୀର ।

ମହାରାଜା ସାଏଙ୍କ ଅନ୍ତକାଳରେ,

ଅଷ୍ଟାଦଶ ଶତାବ୍ଦୀ ସତାଇଶରେ ।

ଲୋହିତ ଡକାଇଲା ସକଳ ଜନ;

ସହସ୍ରେ ସ୍ୱର୍ଣ୍ଣମୁଦ୍ରା କରିଲା ଦାନ ।

ପୁତ୍ର ନାତିଙ୍କୁ ଡାକି କହିଲା ପାଶ,

ବୋଇଲା, ‘‘ଭୂ-ସମ୍ପତ୍ତି ସକଳ ବାସ ।

ପର ଲୁଣ୍ଠିତ ଧନେ ହୋଇଛି କିଣା,

ସମ୍ପତ୍ତି ପାଇ ପଥ ନ ହେବ ବଣା ।

ଦୁଃଖୀରଙ୍କିଙ୍କୁ ଦେଉଥିବ ନିୟତ,

ସେବିବ ସାଧୁ ଅଭ୍ୟାଗତ ସତତ ।

ସାଧୁଙ୍କ ସଙ୍ଗେ ଦିନ କାଟିବ ନିତି,

ସେବିବ ଜାଣି ଭଗବାନ ଅତିଥି ।

ନ ଦେଇ ଦାନ ଯେବେ କରିବ ଭୋଗ,

ବଂଶରେ ଜାତ ହେବ ବିଷମ ରୋଗ ।

ଗରବ ନ ବହିବ କେବେ ମନରେ,

ସତ୍ୟ-ଭାଷଣେ ନିତି ତୋଷିବ ନରେ ।

ରାଜଦ୍ୱାରରେ ମିଥ୍ୟା କହିବ ନାହିଁ,

ନ ପୀଡ଼ିବ ପ୍ରାଣୀଙ୍କୁ ପଥ ହୁଡ଼ାଇ ।

ପର ସ୍ତୀରୀ ଦେଖିବ ମାତା ସମାନ,

ପଥର ପରି ବିଚାରିବ କାଞ୍ଚନ ।

ସକଳ ଭୂତେ ଦେଖି ଆତ୍ମ-ସମାନ;

ସୁଖରେ ମହୀ ମଧ୍ୟେ କାଟିବ ଦିନ ।

ସତ୍ୟ ମାର୍ଗରୁ କେବେ ନ ଯିବ ଟଳି,

ଜୀବନ ପଛେ ପିଣ୍ଡୁ ଯିବଟି ଚାଲି ।

ଭାଇ ଭାଇ ମଧ୍ୟରେ ବାନ୍ଧିବ ମେଳ,

ମେଳ ବାନ୍ଧି ସାଧିବ ପରମଙ୍ଗଳ ।’’

ଏତେ କହି ଲୋହିତ ହେଲା ମଉନ,

ପିଣ୍ଡରୁ ଉଡ଼ିଗଲା ପଞ୍ଚ-ପରାଣ ।

ଶଉଚ କ୍ରିୟା କାଳେ ଧନ ବହୁତ,

ବ୍ୟୟ କରିଲେ ତାର ପୁତ୍ରକଳତ୍ର ।

କହିବା ଅନୁସାରେ ଚଳିଲେ ତେଣେ,

କରୁଥିଲେ କରୁଣା ସକଳ ଜନେ ।

ବ୍ୟତିକ୍ରମ ହୋଇଲେ କହିବା କଥା,

ବିପଦ ଆସି ତାଙ୍କ ଘାରଇ ମଥା ।

ହୀରାକୁଦ ବନ୍ଧରେ ଜଳ-ସମାଧି

ହୋଇଛି ସେ କୀରତି, ତଥାପି ଆଜି ।

ଜନ-ସ୍ମୃତିରେ ତାର ପଡ଼ିଛି ଗାର,

ରହିଥିବ ଯାବତ ଥିବ ସଂସାର ।

Image